FeaturedGeneralLatest

ବାଂଲାଦେଶରେ ସରକାର ଭାଙ୍ଗିବା ପଛରେ ଆମେରିକାର ହାତ: ଶେଖ୍ ହାସିନା

ନୂଆଦିଲ୍ଲୀ (ସଂକେତ ଟିଭି): ବାଂଲାଦେଶର ହିଂସା ତଥା ସରକାର ଭାଙ୍ଗିବା ପଛରେ ଆମେରିକାର ହାତ ରହିଛି। ଏଭଳି ଅଭିଯୋଗ କରିଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା । ବର୍ତ୍ତମାନ ଭାରତରେ ରହୁଥିବା ହାସିନା କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପକୁ ହସ୍ତାନ୍ତର କରି ନ ଥିବାରୁ ଆମେରିକା ତାଙ୍କୁ କ୍ଷମତାରୁ ହଟାଇ ଦେଇଛି। ସେ କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପ ପାଇବା ପରେ ବଙ୍ଗୋପସାଗରରେ ଆମେରିକାର ପ୍ରଭାବ ବୃଦ୍ଧି ପାଇବ।

ସେ ତାଙ୍କ ବାର୍ତ୍ତାରେ ବାଂଲାଦେଶୀ ନାଗରିକମାନଙ୍କୁ ମୌଳବାଦୀଙ୍କ ଦ୍ୱାରା ଭ୍ରାନ୍ତ ନ ହେବାକୁ ଚେତାବନୀ ଦେଇଛନ୍ତି। ତାଙ୍କ ଘନିଷ୍ଠ ସହାୟକମାନଙ୍କ ମାଧ୍ୟମରେ ପଠାଯାଇଥିବା ଏସ୍‌ଏମ୍‌ଏସ୍‌ରେ ହାସିନା କହିଛନ୍ତି, ‘ମୁଁ ଇସ୍ତଫା ଦେଇଛି ଯାହା ଦ୍ୱାରା ମୋତେ ମୃତଦେହର ଶୋଭାଯାତ୍ରା ଦେଖିବାକୁ ପଡ଼ିବ ନାହିଁ। ସେମାନେ ଛାତ୍ରଛାତ୍ରୀଙ୍କ ମୃତଦେହ ଉପରେ କ୍ଷମତାକୁ ଆସିବାକୁ ଚାହୁଁଥିଲେ, କିନ୍ତୁ ସେ ଏହାକୁ ଅନୁମତି ଦେଇନଥିଲେ। ତେଣୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବୋଲି କହିଛନ୍ତି।

ଯଦି ସେ ସେଣ୍ଟମାର୍ଟିନ ଦ୍ୱୀପକୁ ଆମେରିକାକୁ ଦିଆଯାଇଥାନ୍ତା ତାହେଲେ ବଙ୍ଗୋପସାଗରରେ ନିଜର ଆଧିପତ୍ୟ ପ୍ରତିଷ୍ଠା କରିଥାନ୍ତା । ଯଦି ଏହା ହୋଇଥାନ୍ତା ତାହେଲେ ସେ କ୍ଷମତାରେ ରହିଥାନ୍ତେ, କିନ୍ତୁ ସେ ଏପରି କରିନଥିଲେ । ତେଣୁ ଆମେରିକା ବାଂଲାଦେଶର ମୌଳବାଦୀଙ୍କ ଦ୍ୱାରା ଷଡଯନ୍ତ୍ର କରାଉଛି ବୋଲି ହାସିନା କହିଥିବା ସୂଚନା ରହିଛି ।

ଯଦି ସେ ଦେଶରେ ରହିଥାନ୍ତେ, ତା’ହେଲେ ଅଧିକ ଜୀବନ ଯାଇଥାନ୍ତା। ତେଣୁ ସେ ଦେଶ ଛାଡିବାକୁ ନିଷ୍ପତି ନେଇଥିଲେ ବୋଲି କହିଛନ୍ତି । କୁହାଯାଇଛି ଯେ ଆୱାମୀ ଲିଗ୍ ନେତୃବୃନ୍ଦଙ୍କୁ ଟାର୍ଗେଟ କରାଯାଇଥିବାରୁ ସେ ଦୁଃଖିତ ଏବଂ ସେ ଖୁବଶୀଘ୍ର ବାଂଲାଦେଶ ଫେରିବେ।

ସେ ଆହୁରି କହିଛନ୍ତି, ‘ଯଦି ମୁଁ ଦେଶରେ ରହିଥାନ୍ତି, ଅଧିକ ଧନଜୀବନ ନଷ୍ଟ ହୋଇଥାନ୍ତା। ମୁଁ ଦେଶ ଛାଡ଼ିବା ପାଇଁ ବହୁତ କଷ୍ଟଦାୟକ ନିଷ୍ପତ୍ତି ନେଇଥିଲି। ମୁଁ ତୁମର ନେତ୍ରୀ ହୋଇଥିଲି କାରଣ ତୁମେ ମୋତେ ବାଛିଥିଲ, ତୁମେ ମୋର ଶକ୍ତି। ଆଓ୍ବାମୀ ଲିଗ୍‌ ବାରମ୍ବାର ବାଂଲାଦେଶର ଭବିଷ୍ୟତ ପାଇଁ ସ୍ବର ଉତ୍ତୋଳନ କରିଛି, ଯେଉଁ ଦେଶ ପାଇଁ ମୋର ମହାନ ପିତା ଲଢ଼ିଥିଲେ … ଯେଉଁ ଦେଶ ପାଇଁ ମୋ’ ବାପା ଏବଂ ପରିବାର ସେମାନଙ୍କ ଜୀବନ ଉତ୍ସର୍ଗ କରିଥିଲେ।

ଆରକ୍ଷଣ ଆନ୍ଦୋଳନ ଏବଂ ଛାତ୍ର ବିରୋଧ ବିଷୟରେ ଉଲ୍ଲେଖ କରି ହାସିନା କହିଛନ୍ତି, ‘ମୁଁ ବାଂଲାଦେଶର ଯୁବ ଛାତ୍ରମାନଙ୍କୁ ଦୋହରାଇବାକୁ ଚାହେଁ ଯେ ମୁଁ ଆପଣଙ୍କୁ କେବେବି ରଜାକାର ବୋଲି ଡାକି ନ ଥିଲି … କିନ୍ତୁ ଆପଣଙ୍କୁ ଉତ୍ତେଜିତ କରିବା ପାଇଁ ମୋ କଥାକୁ ଏପଟସେପଟ କରି କୁହାଯାଇଥିଲା। ମୁଁ ଆପଣଙ୍କୁ ଏହା ଦୋହରାଇବାକୁ ଚାହେଁ। ‘ମୁଁ ଆପଣଙ୍କୁ ଅନୁରୋଧ କରୁଛି ସେଦିନର ପୂରା ଭିଡିଓ ଦେଖିବା ପାଇଁ। ଷଡ଼ଯନ୍ତ୍ରକାରୀମାନେ ଆପଣଙ୍କ ନିର୍ଦ୍ଦୋଷତାର ଫାଇଦା ଉଠାଇ ଦେଶକୁ ଅସ୍ଥିର କରିବାରେ ବ୍ୟବହାର କରିଛନ୍ତି।’