ଶିବ ମନ୍ଦିରରେ ଦଳାଚକଟାରେ ୭ କାଉଡିଆ ମୃତ, ୯ ଆହତ
ପାଟଣା (ସଂକେତ ଟିଭି): ବିହାରର ଜହାନବାଦ ଜିଲ୍ଲା ବାବା ସିଦ୍ଧନାଥ ମନ୍ଦିରରେ ଦଳାଚକଟା ଘଟି ପାଖାପାଖି ୭ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ରହିଛି । ମହାଦେବଙ୍କୁ ଜଳଲାଗି କରିବା ମନ୍ଦିରରେ ପ୍ରବଳ ଭିଡ ଲାଗିଥିଲା । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି
ସୂଚନା ଅନୁସାରେ, ପବିତ୍ର ଶ୍ରାବଣ ମାସର ଚତୁର୍ଥ ସୋମବାରରେ ମହାଦେବଙ୍କୁ ଜଳଲାଗି କରିବା ପାଇଁ ବିହାରର ଜହାନବାଦ ଜିଲ୍ଲାର ପ୍ରସିଦ୍ଧ ଶୈବାଳୟ ସିଦ୍ଧାନାଥ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ହୋଇଥିଲା । ପତଲା ଗଙ୍ଗା ଓ ଗଉଘାଟ ରାସ୍ତା ଦେଇ ଅଧିକ ସଂଖ୍ୟାରେ ଭକ୍ତ ପାହାଡ ଉପରେ ଥିବା ସିଦ୍ଧନାଥ ମନ୍ଦିରକୁ ଯାଇଥିଲେ । ମନ୍ଦିରରେ ବିଳମ୍ବିତ ରାତି ପ୍ରାୟ ୧୨ ଟାରେ ପ୍ରବଳ ଭିଡ ହୋଇଯାଇଥିଲା । ଏହାମଧ୍ୟରେ କିଛି ଶ୍ରଦ୍ଧାଳୁ ଏତେତେଣେ ଦୌଡାଦୋଡି କରିଥିଲେ । ଯେଉଁଥିପାଇଁ ଦଳଚକଟା ସ୍ଥିତି ଉପୁଜିଥିଲା । କିଛି ମହିଳା ତଳେ ପଡିଯାଇଥିଲେ । ସେମାନଙ୍କ ଉପରେ ଲୋକମାନେ ଚଢି ଏତେ ତେଣେ ଦୌଡି ପଳାଉଥିଲେ । ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟପଟେ କିଛି ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି ।