ବାଲେଶ୍ୱର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ସୂର୍ଯ୍ୟବଂଶୀ ମୟୂର ବିକାଶ
ବାଲେଶ୍ୱର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ବାଲେଶ୍ୱରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅପରାହ୍ନ ୪ ଘଟିକା ସମୟରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି ।
ଜିଲ୍ଲା କାର୍ଯ୍ୟାଳୟରେ ପହଂଚିବା ସମୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ ଓ ବିଭିନ୍ନ ବିଭାଗୀୟ ପଦାଧିକାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ପରେପରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ତହସିଲ୍ଦାର, ସମସ୍ତ ବିଡିଓ, ସମସ୍ତ ଲାଇନ ବିଭାଗର ଅଧିକାରୀ, ସମସ୍ତ ନିର୍ବାହୀ ଅଧିକାରୀଙ୍କ ସହ ପରିଚିତ ହେବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ । ପ୍ରଶାସନର ସମସ୍ତ କାର୍ଯ୍ୟକୁ ଲୋକାଭିମୁଖୀ କରିବା ପାଇଁ ସେ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ବିଭାଗ ପରିଦର୍ଶନ କରି ଭିତିଭୂମି ପରଖିବା ସହ ମୂଲ୍ୟବାନ ଉପଦେଶ ଦେଇଥିଲେ ।
ସାଧାରଣ ଲୋକଙ୍କ ସମସ୍ୟା ସମାଧାନକୁ ଅଗ୍ରାଧିକାର ଦିଆଯିବ ବୋଲି ଜିଲ୍ଲାପାଳ ମତପ୍ରକାଶ କରିଛନ୍ତି । ଜିଲ୍ଲାର ଦୁର୍ବଳତମ ବ୍ୟକ୍ତିଙ୍କ ନିକଟରେ ପହଂଚିବ ପ୍ରଶାସନ ଓ ଦକ୍ଷତାର ସହ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯିବ । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯିବ ।
ସୂଚନାଯୋଗ୍ୟ, ୨୦୧୮ ବ୍ୟାଚ୍ ଓଡ଼ିଶା କ୍ୟାଡର୍ର ଏହି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପୂର୍ବରୁ ସମ୍ବଲପୁରର ଉପଜିଲ୍ଲାପାଳ, ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିସନର ଓ କେନ୍ଦ୍ରାପଡା ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି ।