କଟକ ବଡ଼ ଡାକ୍ତରଖାନାରେ ୨ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ
କଟକ (ସଂକେତ ଟିଭି): କଟକ ଏସସିବି ମେଡିକାଲରେ ୨ଜଣ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କାର୍ଡିଓଲୋଜି ବିଭାଗର ଡାକ୍ତରଙ୍କ ନାଁରେ ଏହି ଅଭିଯୋଗ ରହିଛି । ଏନେଇ ଆଜି କଟକ ମଙ୍ଗଳବାଗ ଥାନାରେ ଏତଲା ହୋଇଛି । ସେପଟେ ରୋଗୀଙ୍କ ସମ୍ପର୍କୀୟଙ୍କ ମାଡ଼ରେ ଅଭିଯୁକ୍ତ ଡାକ୍ତର ଗୁରୁତର ଆହତ ହୋଇଛନ୍ତି । ଡାକ୍ତର ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।
କଟକ ଏସସିବିରେ ମେଡିକାଲ କଲେଜ କାର୍ଡିଓଲୋଜି ବିଭାଗର ଜଣେ ସିନିୟର ରେସିଡେଣ୍ଟ ଡାକ୍ତର ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଥିବା ନେଇ ରୋଗୀଙ୍କ ପରିବାର ବର୍ଗ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏସସିବି ମେଡିକାଲକୁ ECHO ପରୀକ୍ଷା କରିବା ପାଇଁ ଆସି 2 ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ପୋଲିସ ଏହି ଘଟଣାକୁ ଗୁରୁତର ସହିତ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଘଟଣା ପରେ ଅଭିଯୁକ୍ତ ଡାକ୍ତର ଆକ୍ରମଣର ଶିକାର ହୋଇ ଏସସିବି ଟ୍ରମା ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଏନେଇ ଡାକ୍ତରଙ୍କ ପରିବାର ଲୋକ ମଧ୍ୟ ମଙ୍ଗଳାବାଗ ଥାନାରେ ପ୍ରତିଅଭିଯୋଗ କରିଥିବା ଜଣାପଡିଛି । ତେବେ ପୋଲିସ ଉଭୟଙ୍କ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଜାରି ରଖିଛି ।
କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି ଯେ ଗତ 11 ତାରିଖରେ ଏସିବିର ଜଣେ ଡାକ୍ତର 2 ଜଣ ମହିଳାଙ୍କୁ ଅସଦାଚାରଣ କରିଥିବା ଅଭିଯୋଗ ଆସିଥିଲା । ରୋଗୀଙ୍କ ସମ୍ପର୍କୀୟ ଏନେଇ ଅଭିଯୋଗ କରିଛନ୍ତି । ମାମଲା ପଞ୍ଜୀକୃତ ହେବା ପରେ ତଦନ୍ତ ଚାଲିଛି । 161, 164 ଧାରାରେ ପୀଡିତାଙ୍କ ବୟାନ ରେକର୍ଡ କରାଯିବ । ପୀଡିତାଙ୍କ ବୟାନ ରେକର୍ଡ କରାଯାଇ ତଦନ୍ତ କରାଯିବ । ସେହି ଅନୁସାରେ ତଥ୍ୟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନେବୁ ।