ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରରେ ଯୋଗଦେବନି ବିଜେଡି
ଭୁବନେଶ୍ୱର(ସଂକେତ ଟିଭି): ରାଜ୍ୟ ସରକାର ନୂଆ ବିଧାୟକମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରିଛି । ତେବେ ବିଜେଡି ଏହାକୁ ପ୍ରତ୍ୟାଖ୍ୟାନ କରିବ । ଆସନ୍ତା ୧୭ ଓ ୧୮ ତାରିଖରେ ଏହି ପ୍ରଶିକ୍ଷଣ ଶିବିର ହେବାର କାର୍ଯ୍ୟକ୍ରମ ରହିଛି ।
ଶଙ୍ଖଭବନରେ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ଓ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ସଚିବ ଏକ ପତ୍ର ଦେଇଛନ୍ତି। ନିବ ନିର୍ବାଚିତ ବିଧାୟକଙ୍କ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ଦର୍ଶାଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ଯାହା ପରମ୍ପରା ରହିଛି ତାହାର ବ୍ୟତିକ୍ରମ ଦେଖାଯାଉଛି । ଗୃହର ସଦସ୍ୟ ନଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେ.ପି ନଡ୍ଡାଙ୍କ ଭଳି ବ୍ୟକ୍ତି ବିଶେଷଙ୍କ ଦ୍ଵାରା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ ଓ ଉଦଯାପନ ପରମ୍ପରାର ଭଙ୍ଗ ବୋଲି ଅଭିଯୋଗ କରିଛି ଦଳ । ଏହି କାର୍ଯ୍ୟକ୍ରମର ଉଦଘାଟନ ମୁଖ୍ୟମନ୍ତ୍ରୀ କି ଗୃହର ବାଚସ୍ପତିଙ୍କ ଦ୍ୱାରା କରାଯିବା ଉଚିତ୍ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ବିଜେଡି ବରିଷ୍ଠ ନେତା ପ୍ରତାପ ଦେବ କହିଛନ୍ତି ଯେ, ପରମ୍ପରା ଅନୁସାରେ ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଏହି କାର୍ଯ୍ୟକ୍ରମର ଉଦଘାଟନ ଓ ଉଦଯାପନୀ ଅତିଥି ହେବା କଥା। କିନ୍ତୁ ପତ୍ର ଅନୁସାରେ ଗୃହର ସଦସ୍ୟ ନଥିଲେ ଵି ଧର୍ମେନ୍ଦ୍ର ପ୍ରଧାନ କିପରି ଉଦଘାଟନ କରିବେ ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି । ଏହା ବାଚସ୍ପତିଙ୍କ ପଦ ମର୍ଯ୍ୟାଦାକୁ କ୍ଷୁଣ୍ଣ କରୁଛି ବୋଲି ବିଜେଡି କହିଛି। ପରମ୍ପରା ଭଙ୍ଗ ହେଲେ ବିଜେଡି ବିଧାୟକମାନେ ଏହି କାର୍ଯ୍ୟକ୍ରମରେ ଦୂରେଇ ରହିବେ ବୋଲି ବରିଷ୍ଠ ନେତା ପ୍ରତାପ ଦେବ ଓ ଗଣେଶ୍ବର ବେହେରା କହିଛନ୍ତି।
ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଜେଡି ଅଭିଯୋଗର ଜବାବ ରଖିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି, ନୂଆ ବିଧାୟକଙ୍କ ତାଲିମ ପାଇଁ କାର୍ଯ୍ୟକ୍ରମ ହେଉଛି । ସବୁ ବିଧାନସଭା ଆରମ୍ଭରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହେବ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ, ଅତିଥି ହିସାବରେ ଆମେ କେନ୍ଦ୍ର ସଂସାଦୀୟ ବ୍ୟାପର ମନ୍ତ୍ରୀଙ୍କୁ ଡାକିଛୁ। ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ରହି ବିଧାୟକମାନଙ୍କୁ ଶିକ୍ଷା ଦେବେ। ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ମଧ୍ୟ ଉପସ୍ଥିତ ରହିବେ। ଦଳୀୟ କେମିତି ହେଲା ସେମାନେ କହିବେ, ବିଧାନସଭା ନୀତିନିୟମ ଭିତରେ ଏହି କାର୍ଯ୍ୟକ୍ରମ ହେଉଛି ।