LatestNews

ବିକାଶର ରେଳଗାଡିରେ ଓଡ଼ିଶା ହେବ ପ୍ରଥମ ବଗି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ମାଝି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି। ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ ପରେ ସେ ଗାନ୍ଧୀମାର୍ଗରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ସମାରୋହରେ ଓଡ଼ିଆ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିବା ସହ ପାଇକ ବିଦ୍ରୋହର ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାରତର ସ୍ବାଧୀନତା ସଂଗ୍ରାମ ଦେଶର ଅନନ୍ୟ ଅଧ୍ୟାୟ। ଏହା ଇଂରେଜମାନଙ୍କ ମୁଳଦୁଆ ଦୋହଲାଇ ଦେଇଥିଲା। ଦେଶ ଏବେ ଅମୃତକାଳ ଦେଇ ଗତି କରୁଛି। ଦେଶର ଅର୍ଥନୀତି ଦ୍ରୁତ ଗତିରେ ବଢ଼ିଛି। ଖୁବଶୀଘ୍ର ଦେଶର ଅର୍ଥନୀତି ୫ ଟ୍ରିଲିଅନରେ ପହଞ୍ଚିବ। ୨୦୪୭ ସୁଦ୍ଧା ଭାରତ ବିଶ୍ବଗୁରୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି, ଓଡ଼ିଶାବାସୀ ସ୍ବାଭିମାନୀ, ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲେ। ଓଡ଼ିଆ ଅସ୍ମିତା ସହିତ ଶିଖର ଛୁଇଁବାକୁ ଲକ୍ଷ୍ୟ ରଖିଛୁ। ବଡ଼ ସ୍ବପ୍ନ ଦେଖାଇବିନି, ଯାହା ପ୍ରତିଶ୍ରୁତି ଦେଇଛି ପାଳନ କରିବି। ଶ୍ରୀମନ୍ଦିର ୪ ଦ୍ବାର ଖୋଲିଛୁ, ଓଡ଼ିଆ ଅସ୍ମିତା ପାଣ୍ଠି କରିଛୁ। ଏଥିସହ ଧାନ କ୍ବିଣ୍ଟାଲ ୩୧ଶହ ଟଙ୍କା କରିବା ସହ ସେପ୍ଟେମ୍ବର ୧୭ରୁ ସୁଭଦ୍ରା ଯୋଜନା ଲାଗୁ କରିବୁ। ଖାଲି ପଡ଼ିଥିବା ଦେଢ଼ ଲକ୍ଷ ପଦବୀ ପୂରଣ କରିବା ସହ ଆଗାମୀ ୫ ବର୍ଷରେ ୫୦୦ ଆଦିବାସୀ ଗ୍ରାମକୁ ବିକଶିତ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଥିସହ ସମ୍ବୋଧନ ସମୟରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ହକି ଦଳକୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟରେ ଆଉ ଏକ ହକି ଷ୍ଟାଡିୟମ ହେବା ନେଇ ଘୋଷଣା କରିଛନ୍ତି । ହଜାରେ କୋଟି ବ୍ୟୟରେ ୧୨୦ ଏକର ଜମିରେ ଷ୍ଟାଡିୟମ ନିର୍ମାଣ ହେବ । ଭାରତର ହକି ଦଳକୁ ଓଡ଼ିଶାର ସ୍ପନସରସିପକୁ ୨୦୩୬ ପର୍ଯ୍ୟନ୍ତ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ସେହିପରି ଆଗାମୀ ପାଞ୍ଚ ବର୍ଷରେ ୫୦୦ ଆଦିବାସୀ ଗ୍ରାମକୁ ‘ଆଦର୍ଶ ଆଦିବାସୀ ଗ୍ରାମ’ ଯୋଜନାରେ ବିକଶିତ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ‘ପିଏମ ଜନମନ୍’ ଯୋଜନାରେ ‘ବିଶେଷ ଭାବରେ ଅନୁନ୍ନତ ଜନଜାତି’(PVTG) ବର୍ଗର ଜନଜାତିମାନଙ୍କର ସାମଗ୍ରିକ ବିକାଶ କରାଯିବ । ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ ଜରିଆରେ ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ରୋଜଗାର ଓ ଜୀବିକାର ବ୍ୟାପକ ସୁଯୋଗ ସୃଷ୍ଟି କରାଯିବ । ଜନଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ କାରଣରୁ ଡ୍ରପ ଆଉଟ୍ ହାର ଅଧିକ ରହୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ୱାରା ସେମାନଙ୍କ ମଧ୍ୟରେ ପାଠପଢା ଅଧାରୁ ସ୍କୁଲ ଛାଡିବା ସମସ୍ୟା ଦୂର ହୋଇପାରିବ ବୋଲି ସେ କହିଛନ୍ତି ।

ରାଜ୍ୟରେ ଖାଲି ପଡିଥିବା ଦେଢ ଲକ୍ଷ ସରକାରୀ ପଦବୀ ପୂରଣ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ତତ୍‌ସହିତ ଆଗାମୀ ୫ ବର୍ଷରେ ଓଡିଶାର ଯୁବକ ଯୁବତୀମାନଙ୍କ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରାଯିବ । ଦେଶର ବିକାଶର ରେଳ ଗାଡ଼ିରେ ଓଡ଼ିଶା ପ୍ରଥମ ବଗି ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ତେଣୁ ବିକାଶର ଡବଲ ଇଞ୍ଜିନ ମଡେଲ ଯେ ଓଡ଼ିଶାର ଅଗ୍ରଗତିକୁ ତ୍ୱରାନ୍ୱିତ କରିବ, ଏଥିରେ ସନ୍ଦେହ ନାହିଁ ବୋଲି ସେ କହିଛନ୍ତି ।