ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର (ସଂକେତ ଟିଭି): ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ତତ-ସଂଲଗ୍ନ ବାଂଲାଦେଶ ଉପକୂଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ଷେତ୍ର ସହ ଜଡିତ ଘୂର୍ଣ୍ଣିବଳୟର ବ୍ୟାପ୍ତି ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ରହିବା ସହ ଏହା ବାୟୁମଣ୍ଡଳରେ ଉଚ୍ଚତା ସହ ଦକ୍ଷିଣପଶ୍ଚିମ ଦିଗରେ ଢଳି ରହିଛି ।ଏହି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବା ସହ ୪୮ ଘଣ୍ଟା ମଧ୍ୟରେ ସଦୃଶ ଲଘୁଚାପରେ ପରିଣତ ହେବ ।
ପରବର୍ତ୍ତୀ ପର୍ଯ୍ୟାୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଏବଂ ଝାଡ଼ଖଣ୍ଡ ମଧ୍ୟ ଦେଇ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିସ୍ତୃତି ବର୍ଷା ସହ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ତଥା ବାଲେଶ୍ଵର ଓ ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ୭ରୁ ୨୦ ସେ.ମି. ତଥା ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର ୨୦ ସେମିରୁ ଅଧିକ ସମ୍ଭାବନା ମଧ୍ୟ ରହିଛି । ଯାହାକୁ ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରେଡ ଓ୍ବର୍ଣ୍ଣିଂ ଜାରି ହୋଇଛି ।
ସେହିପରି କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଅନୁଗୁଳ, ଦେଓଗଡ଼, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଜଗତସିଂହପୁର, ଖୋର୍ଦ୍ଧା, କଟକ, ନୟାଗଡ଼, ସୋନପୁର, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ସେହିପରି ଶନିବାର ମଧ୍ୟ ବିସ୍ତୃତି ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।