ଫେରିଲା ସେୟାର ବଜାରରେ ଉତ୍ସାହ, ଜୋରଦାର କ୍ରୟ କଲେ ନିବେଶକ
ମୁମ୍ବାଇ(ସଂକେତ ଟିଭି): ବିଶ୍ବ ବଜାରରେ ଉତ୍ସାହର ପ୍ରଭାବ ଶୁକ୍ରବାର ଭାରତୀୟ ସେୟାର ବଜାର ଉପରେ ପଡିଛି । ଏଥିଯୋଗୁଁ ଆଜି ନିଫ୍ଟି ୪୦୦ ଅଙ୍କ ବଢି ୨୪,୫୪୦ ସ୍ତରରେ ବନ୍ଦ ହୋଇଥିବା ବେଳେ ସେନସେକ୍ସ ୧୩୩୦ ଅଙ୍କ ବୃଦ୍ଧି ସହିତ ୮୦,୪୩୬ ସ୍ତରରେ ବନ୍ଦ ହୋଇଛି। ଏହି ବୃଦ୍ଧିରେ ବିଶେଷ କରି ଆଇଟି ସେକ୍ଟର ଏବଂ କନଷ୍ଟ୍ରକସନ ସେକ୍ଟର ସହାୟକ ହୋଇଥିବାବେଳେ ସବୁ କ୍ଷେତ୍ରର ସେୟାର ସବୁଜ ସଂକେତରେ ବନ୍ଦ ହୋଇଛନ୍ତି। ବିଏସଇ ସେନସେକ୍ସର ଟପ୍ ୩୦ ସେୟାରରୁ କେବଳ ସନଫାର୍ମାକୁ ବାଦ ଦେଲେ ବାକି ୨୯ ସେୟାର ବୃଦ୍ଧିରେ ବନ୍ଦ ହୋଇଛି।
ଟେକ୍ ମହିନ୍ଦ୍ରା ସେୟାର ସବୁଠୁ ଅଧିକ ଅଭିବୃଦ୍ଧି ହାସଲ କରିଛି, ଯାହା ଶୁକ୍ରବାର ୪ ପ୍ରତିଶତ ବଢି ୧୫୮୪ଟଙ୍କାକୁ ପହଞ୍ଚିଛି। ଏହା ପଛକୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟାଟା ମୋଟର୍ସ, ଅଲ୍ଟ୍ରାଟେକ୍ ସିମେଣ୍ଟ ଓ ଟିସିଏସ୍ ସେୟାରରେ ଅଭିବୃଦ୍ଧି ଦେଖାଯାଇଛି। ପୂର୍ବାହ୍ନରେ କାରବାର ଆରମ୍ଭ ହେବା ବେଳଠାରୁ ସେୟାର ବଜାରରେ ବୃଦ୍ଧି ଦେଖାଯାଇଥିଲା। ପ୍ରାରମ୍ଭିକ କାରବାରରେ ସେନସେକ୍ସ ୬୦୦ ପଏଣ୍ଟ ବଢି ଖୋଲିଥିଲା।
ସେହିପରି ନିଫ୍ଟି ୨୦୦ ପଏଣ୍ଟ ଉପରେ ଖୋଲିଥିଲା। କାରବାର ଆରମ୍ଭ ହେବା ପରେ ବଜାରରେ ବୃଦ୍ଧି ଦେଖାଯାଇଥିଲା ଓ ବଜାର ବନ୍ଦ ହେବା ବେଳକୁ ସେନସେକ୍ସ ୧୩୦୦ ପଏଣ୍ଟକୁ ଉଠିଯାଇଥିଲା। ଏହି ସମୟରେ ନିଫ୍ଟିରେ ୪୦୦ ଅଙ୍କର ବୃଦ୍ଧି ହୋଇଥିଲା।
ତେବେ ସେୟାର ବଜାରରେ ଶୁକ୍ରବାର ଯେଉଁ ୫ଟି କାରଣ ନିବେଶକଙ୍କୁ ଖୁସି କରିଛି ତାହା ହେଉଛି ଆଇଟି ସେୟାରରେ ଜୋରଦାର କ୍ରୟ। ଏହା ଛଡା ଆମେରିକାର ଆର୍ଥିକ ତଥ୍ୟ ଆସିବା ପରେ ଗ୍ଲୋବାଲ ମାର୍କେଟରେ ଦେଖାଯାଇଥିବା ଅଭିବୃଦ୍ଧି ଭାରତୀୟ ବଜାରକୁ ସବୁଜ କରିଛି। ଏହା ଛଡା କେତେକ କମ୍ପାନୀର ରେଜଲ୍ଟ ମଧ୍ୟ ବେଶ୍ ଆକର୍ଷକ ରହିଛି, ଯେଉଁଥିରେ ବିପିସିଏଲ, ସିଓଏଏଲ ଏବଂ ଓଏନଜିସିର ଫଳାଫଳ ରହିଛି। ବଜାର ପରିସ୍ଥିତିରେ ଏପରି ସୁଧାର ପଛରେ ଘରୋଇ ନିବେଶକଙ୍କ କିଣାକିଣି କାରବାରକୁ ଉତ୍ସାହିତ କରିଛି, ବିଶେଷ କରି ଆଇଟି ସେକ୍ଟରରେ ସବୁଠୁ ଅଧିକ କିଣାକିଣି ହୋଇଛି।