ୱାଇ.ବି. ଖୁରାନିଆ ହେଲେ ଓଡ଼ିଶାର ନୂଆ ଡିଜିପି, ବିଜେଡି ଉଠାଇଲା ଅଣଓଡିଆ ପ୍ରସଙ୍ଗ
ଭୁବନେଶ୍ବର (ସଂକେତ ଟିଭି): ଯୋଗେଶ ବାହାଦୂର ଖୁରାନିଆ ଓଡ଼ିଶାର ନୂଆ ଡିଜି ହୋଇଛନ୍ତି । ଖୁରାନିଆଙ୍କ ନିଯୁକ୍ତି ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ନିକଟରେ ସେ କେନ୍ଦ୍ର ଗୃହ ମନ୍ତ୍ରାଳୟର ସୁପାରିସ କ୍ରମେ କ୍ୟାବିନେଟର ନିଯୁକ୍ତି କମିଟି ଖୁରାନିଆଙ୍କୁ କେନ୍ଦ୍ରୀୟ ଡେପୁଟେସନ୍ ଅବଧି ଶେଷ ହେବା ପୂର୍ବରୁ ଓଡିଶା ପ୍ରତ୍ୟାବର୍ତ୍ତନ ପାଇଁ ଅନୁମୋଦନ କରିଥିଲେ।
ସୂଚନା ଅନୁସାରେ, ୧୯୯୦ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଖୁରାନିଆ ଏହା ପୂର୍ବରୁ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)ର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ (ପଶ୍ଚିମ) ଭାବରେ କାର୍ଯ୍ୟ କରିଛନ୍ତି । ଓଡ଼ିଶା କ୍ୟାଡ଼ର ଆଇପିଏସ୍ ଶ୍ରୀ ଖୁରାନିଆ ରାଜ୍ୟର ନୟାଗଡ଼, ଯାଜପୁର, ରାଉରକେଲା, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ଏସ୍ପି ଭାବେ କାର୍ଯ୍ୟ କରିଛନ୍ତି। ସେହିପରି କଟକ–ଭୁବନେଶ୍ୱର ପୁଲିସ କମିଶନର ଏବଂ ଦକ୍ଷିଣ ଓ ଉତ୍ତରାଞ୍ଚଳ ଡିଆଇଜି, ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି ।
ତେବେ ଖୁରାନିଆଙ୍କ ପୋଲିସ ମହାନିର୍ଦେଶକ ଭାବରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜୁ ଜନତା ଦଳ ଓଡିଶାର ବିଜେପି ସରକାରକୁ ତୀବ୍ର ସମାଲୋଚନା କରିଛି । ବିଜେଡ଼ି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ
ବିଜେପି ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରିଥିଲା। ହେଲେ ଜିତିବା ପରେ ରାଜ୍ୟ ବିଜେପି ୟୁ ଟର୍ଣ୍ଣ ନେଇଛି । ପ୍ରତିଶ୍ରୃତି ପାଳନ କଲେନି। ୪୧ ବର୍ଷ ପରେ ଜଣେ ଅଣ ଓଡ଼ିଆଙ୍କୁ ସରକାର ମୁଖ୍ୟ ଶାସନ ସଚିବ ଦାୟିତ୍ବ ଦେଇଛନ୍ତି। ସେହିପରି ଅତିରିକ୍ତ ଭାବେ ପଦ ସୃଷ୍ଟି କରି ଶ୍ରୀମନ୍ଦିର ଦାୟିତ୍ୱ ଦେଲେ। ଏହା କଣ ଓଡ଼ିଆ ଅସ୍ମିତା । ଆଜି ମଧ୍ୟ ଜଣେ ଅଣ ଓଡ଼ିଆଙ୍କୁ ପୁଲିସ ଡଜି ଭାବେ ନିଯୁକ୍ତି ଦିଆଯାଇଛି। ଯାହା ବିଜେପି କହେ, ତାହାର ଓଲଟା କରେ। ଏହି ଅଫିସରଙ୍କ ଯୋଗ୍ୟତା କି ବ୍ୟକ୍ତିଗତ କଥା ଆମେ କହୁନୁ ବୋଲି ସେ କହିଛନ୍ତି।
ଏଥିସହ ସେ ବିଜେପିରୁ ପ୍ରଶ୍ନ କରିଛନ୍ତି। ବିଜେପିକୁ ପ୍ରଶ୍ନ- ଯାହା ନିର୍ବାଚନ ସମୟରେ କହିଥିଲ, ତାହାର ଓଲଟା କାହିଁକି କରୁଛ। ବିଜେପି ସରକାରରେ ଓଡ଼ିଆ ପୁଅଙ୍କ ସ୍ଥାନ ନାହିଁ। ଓଡ଼ିଆଙ୍କ ପ୍ରତି ପ୍ରତାରଣା। ମିଛ ପ୍ରତିଶ୍ରୁତିରୁ ବିଜେପିର ଦୋମୁହାଁ ନୀତି ପଦାରେ ପଡିଛି। ଓଡ଼ିଆ ଅସ୍ମିତାକୁ ସୁରକ୍ଷା ଦେବାକୁ ସେମାନେ ନାହାନ୍ତି। କଣ କେହି ଯୋଗ୍ୟ ଓଡ଼ିଆ ଅଫିସର ନ ଥିଲେ। CMO ପକ୍ଷରୁ ନିଯୁକ୍ତି ଦିଆଯାଇଛି ନା ଅଣଓଡ଼ିଆ PMO ଙ୍କ ଦ୍ୱାରା ବଛା ଯାଇଛି। ଏହାର ଜବାବ ଦିଅନ୍ତୁ ବୋଲି ବିଜେଡି କହିଛି। ଓଡ଼ିଆ ଅସ୍ମିତା କୁଆଡେ ଗଲା ବୋଲି ଲେଖାଶ୍ରୀ କହିଛନ୍ତି।