ଅଗଷ୍ଟ ୨୫ରେ ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ ବିଧାନସଭାରେ ନବାଗତ ବିଧାୟକମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହାକୁ ବିଜେଡି ଓ କଂଗ୍ରେସ ବୟକଟ କରିଛନ୍ତି। ଅଗଷ୍ଟ ୨୫ ତାରିଖ ରବିବାର ସକାଳ ୧୦ ଟାରେ ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଶଙ୍ଖ ଭବନରେ ନୂଆ ବିଧାୟକମାନଙ୍କୁ ଦିଆଯିବ ଟ୍ରେନିଂ। ବରିଷ୍ଠ ବିଧାୟକମାନେ ନୂଆ ସଦସ୍ୟ ମାନଙ୍କୁ ବିଧାନସଭାର କାର୍ଯ୍ୟଶୈଳୀ ବାବଦରେ ପ୍ରଶିକ୍ଷଣ ଦେବେ ବୋଲି ବିରୋଧୀ ଦଳର ଉପ ମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି ।
ପ୍ରତାପ ଦେବ କହିଛନ୍ତି ଯେ ଏହା ଆମ ଦଳର ନିଷ୍ପତି। ଆମେ କେବେ କୌଣସି ବ୍ୟକ୍ତି ବିଶେଷଙ୍କୁ ବିରୋଧ କରିନାହୁଁ। ଆମେ ପଦ ମର୍ଯ୍ଯାଦାର କଥା କହୁଛୁ। ମୁଖ୍ୟମନ୍ତ୍ରୀ କିମ୍ବା ବାଚସ୍ପତି ଉଦଘାଟକ ବା ମୁଖ୍ୟ ଅତିଥି ହେବା କଥା କହୁଛୁ। ପରମ୍ପରା ନୀତି ନିୟମ ବଦଳିବା କଥା ନୁହେଁ। ଆମେ କହିବା ପରେ ଏହି କାର୍ଯ୍ୟକ୍ରମ ଅତିଥି ତାଲିକା ପରିବର୍ତନ ହୋଇଛି। ହେଲେ ଏବେ ବି କେନ୍ଦ୍ର ମନ୍ତ୍ରୀ ମୁଖ୍ୟ ଅତିଥି ହେଇଛନ୍ତି। ଏହା ମୁଖ୍ୟମନ୍ତ୍ରୀ ପଦ ପ୍ରତି ଅବମାନନା। ଆଗାମୀ ପିଢୀ ପାଇଁ ନୀତି ନିୟମ ପରମ୍ପରା ବଦଳିବା ଉଚିତ ନୁହେଁ ବୋଲି ପ୍ରତାପ ଦେବ କହିଛନ୍ତି।