FeaturedLatestNewsPolitics

ନୂଆ ବିଧାୟକଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ, ବିଜେଡି ଓ କଂଗ୍ରେସର ବର୍ଜନ

ଭୁବନେଶ୍ବର (ସଂକେତ ଟିଭି): ନୂଆ ବିଧାୟକ ସଂସଦୀୟ ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷିତ ହେବେ । ସେଥିପାଇଁ ଆଜିଠାରୁ ରାଜ୍ୟ ସରକାର ବିଧାନସଭାରେ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ଦୁଇଦିନିଆ କର୍ମଶାଳାର ନାମ ‘ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ’ ରଖାଯାଇଛି । ଏହାକୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ ଉଦଘାଟନ କରିଛନ୍ତି ।

ସଂସଦୀୟ ବ୍ୟାପାର ଓ ଗୃହ କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ଏମାନଙ୍କ ପ୍ରଶିକ୍ଷଣ ପାଇଁ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ସମତେ ବିଜେପିର ବିଧାୟକମାନେ ଉପସ୍ଥିତ ଅଛନ୍ତି । ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କର ଗୋଟିଏ ଗୋଟିଏ ସେସନ ରହିଛି । ଯେଉଁଥିରେ ବରିଷ୍ଠମାନେ ନବାଗତଙ୍କ ସମ୍ମୁଖରେ ନିଜର ଅଭିଜ୍ଞତା ବାଣ୍ଟିବେ । ବିଧାନସଭା ରୁଲିଂ ଓ ପ୍ରୋସିଡିଂ ସମ୍ପର୍କରେ ବିଧାୟକ ବିଧାୟିକାମାନଙ୍କୁ ଅବଗତ କରିବା ସହ ଗୃହରେ ଫଳପ୍ରଦ ଆଲୋଚନା ଓ ଜଣେ ଜନପ୍ରତିନିଧି ଭାବେ ଭଲ ପ୍ରଦର୍ଶନ ପାଇଁ ମନ୍ତ୍ର ଦେବେ ।

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବ । ରାଜ୍ୟରେ ଏଥର ରେକର୍ଡ ସଂଖ୍ୟକ ୮ ୪ଜଣ ନୂଆ ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି । ଯେଉଁମାନଙ୍କର ଗୃହ ପ୍ରକ୍ରିୟା ସମ୍ପର୍କରେ କୌଣସି ଧାରଣ ନାହିଁ । ମାତ୍ର ଏହି କାର୍ଯ୍ୟକ୍ରମକୁ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ବର୍ଜନ କରିଛନ୍ତି । ଏଥିରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିମ୍ବା ମୁଖ୍ୟ ବିରୋଧୀ ବିଜେଡିର କୌଣସି ବିଧାୟକ ଯୋଗ ଦେଇନାହାନ୍ତି ।