କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ପରଲୋକ
ଭୁବନେଶ୍ୱର (ସଂକେତ ଟିଭି): ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ପରଲୋକ ଘଟିଛି । ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ହେବ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୫୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଚିକିତ୍ସତ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଝିଙ୍ଗିଆ ଓରାମଙ୍କ ମୃତଦେହକୁ ଗତକାଲି ରାତିରେ ଭୁବନେଶ୍ୱରର ଲୁମ୍ବିନୀବିହାର ସ୍ଥିତ ବାସଭବନକୁ ଅଣାଯାଇଥିଲା । ସେଠାରେ ତାଙ୍କୁ ଶେଷ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳରର ସଦସ୍ୟମାନେ। ଏଥିସହ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଆହୁରି ଅନେକ ବ୍ୟକ୍ତିବିଶେଷ ସେଠାରେ ପହଂଚି ଝିଙ୍ଗିଆ ଓରାମଙ୍କର ଶେଷ ଦର୍ଶନ କରିବା ସହିତ ଜୁଏଲ ଓରାମଙ୍କୁ ସାନ୍ତ୍ୱନା ଦେଇଥିଲେ। ତେବେ ଝିଙ୍ଗିଆ ଓରାମଙ୍କ ପାର୍ଥିବ ଶରୀରକୁ ଆଜି ସୁନ୍ଦରଗଡ ନିଆଯାଉଛି। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବା ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସୂଚନା ଦେଇଛନ୍ତି ।
ଝିଙ୍କିଆଙ୍କ ବିୟୋଗରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସ୍ବାମୀ ଜୁଏଲ। ସେ କାନ୍ଦି କାନ୍ଦି କହିଛନ୍ତି, ହଠାତ୍ ତାଙ୍କର ରକ୍ତବାନ୍ତି ହେଲା। ସେ ଅଚେତ ହୋଇପଡ଼ିଲେ। ତା’ ପରେ ମେଡିକାଲ ନେଇଯାଇଥିଲୁ। ସେଠାରେ ସେ ଚିକିତ୍ସିତ ହେଉଥିଲେ। ଶେଷରେ ମୋତେ ଛାଡ଼ି ଚାଲିଗଲେ। ଏଥିସହିତ ସେ କହିଛନ୍ତି, ମୋର ରାଜନୈତିକ ଜୀବନରେ ସେ ବହୁତ ବଡ଼ ଦାୟିତ୍ୱ ସମ୍ଭାଳୁଥିଲେ। ତାଙ୍କ ଯୋଗୁ ମୁଁ ଏ ଜାଗାକୁ ଆସିପାରିଛି। ସେ ଘର ସମ୍ଭାଳିବା ସହ ପିଲାମାନଙ୍କ ଦାୟିତ୍ୱ ଠିକ୍ ଭାବରେ ନେଉଥିଲେ। ଯେଉଁଥିପାଇଁ ମୁଁ ବାହାରକୁ ଆସି ପାରୁଥିଲି। ତାଙ୍କ ବିୟୋଗରେ ଆମର ବହୁତ ବଡ଼ କ୍ଷତି ହୋଇଛି। ମୁଁ ଜୀବନସାରା ତାଙ୍କୁ ଭୁଲି ପାରିବିନି। ଭଗବାନଙ୍କୁ ଡାକୁଛି ସାତ ଜନ୍ମ ପାଇଁ ସେ ମୋର ସାଥୀ ହୋଇ ରୁହନ୍ତୁ।
ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ମନ୍ତ୍ରିମଣ୍ଡଳ ସଦସ୍ୟ ଓ ଅନ୍ୟ ବ୍ୟକ୍ତି ବିଶେଷ ଝିଙ୍କିଆଙ୍କ ଶେଷ ଦର୍ଶନ କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାରେ କୌଣସି ତ୍ରୁଟି ନ ଥିଲା। ହଠାତ୍ ଏଭଳି ଘଟିଗଲା। ଏହା ସମସ୍ତଙ୍କ ପାଇଁ ଦୁଖଃଦ ଘଟଣା, ଏହା ଜୁଏଲଙ୍କ ପରିବାର ସହ ଆମ ସମସ୍ତଙ୍କ ପାଇଁ ବହୁତ ବଡ଼ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।