କୁଆଡେ ଗଲା ତୁମ ସୁଭଦ୍ରା ଯୋଜନା : ତାରା ପ୍ରସାଦ ବାହିନୀପତି
ଭୁବନେଶ୍ବର (ସଂକେତ ଟିଭି): କୁଆଡେ ଗଲା ତୁମ ସୁଭଦ୍ରା ଯୋଜନା । କୁଆଡେ କଲା ତୁମ ସୁଭଦ୍ରା ଯୋଜନାର ଏସଓପି । ଏହା କହି ବିଜେପିକୁ କଡା ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।ସେ କହିଛନ୍ତି ଯେ ବିଭାଗୀୟ ମନ୍ତ୍ରୀ ଘୋଷଣା କରିଥିଲେ ଅଗଷ୍ଟ ୧୫ ରେ ଆସିବ ସୁଭଦ୍ରା ଯୋଜନା ଏସଓପି । କିନ୍ତୁ ଅଗଷ୍ଟ ୧୫ ଯାଇ ରାକ୍ଷୀ ପୂର୍ଣ୍ଣିମା ହେଲା କିନ୍ତୁ ବିଭାଗ ସୁଭଦ୍ରା ଯୋଜନା ଏସଓପି ଆଣିଲା ନାହିଁ । ମଜୁରିଆଙ୍କୁ ଆଜି ନାହିଁ କାଲି କି ଆସ କହିବା ଭଳି ସୁଭଦ୍ରା ଯୋଜନା ଏସଓପି କ୍ଷେତ୍ରରେ ସେହିଭଳି କରୁଛନ୍ତି । ତୁରନ୍ତ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଏସଓପି ଆଣନ୍ତୁ ନଚେତ କଂଗ୍ରେସ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବ ବୋଲି ତାରା କହିଛନ୍ତି।
ସୂଚନା ଅନୁସାରେ, ରାଜ୍ୟର ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ସହାୟତା ଦିଆଯିବ। ନିର୍ବାଚନ ପୂର୍ବରୁ ବିଜେପିର ଘୋଷଣାପତ୍ରରେ ଏହା ପ୍ରକାଶିତ ହୋଇଥିଲା। ରାଜ୍ୟରେ ସରକାର ଗଠନର ପ୍ରଥମ ଦିନ ଅର୍ଥାତ୍ ଜୁନ୍ ୧୨ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହା ସହ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନରେ ରାଜଧାନୀରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇ ମହିଳାମାନଙ୍କୁ ସୁଭଦ୍ରା ଭାଉଚର ବଣ୍ଟନ କରାଯିବ ବୋଲି ମଧ୍ୟ ସରକାର ଘୋଷଣା କଲେ। ଆଉ ଏହାପରେ ବଜେଟ୍ରେ ଏହି ଯୋଜନା ପାଇଁ ମାତ୍ର ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ ହେବା ପରେ ଏହାର କାର୍ଯ୍ୟକାରିତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। କାରଣ ବଜେଟରେ ଆବଣ୍ଟିତ ରାଶିରେ ରାଜ୍ୟର ସର୍ବାଧିକ ୨୦ ଲକ୍ଷ ମହିଳା ଉପକୃତ ହୋଇପାରିବାର ବ୍ୟବସ୍ଥା ଥିବାରୁ ଅବଶିଷ୍ଟ ୮୫ ଲକ୍ଷ ମହିଳା ଏଥିରୁ ବଞ୍ଚିତ ହେବେ।
ତେବେ ସୁଭଦ୍ରା ଯୋଜନାରେ କିଏ ଟଙ୍କା ପାଇବେ, କିଏ ପାଇବେନି, ତାର ସ୍ପଷ୍ଟ ଚିତ୍ର ରହିବା ନେଇ ଏସଓପି ଆସିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ। ଅଗଷ୍ଟ ୧୫ରେ ଏସଓପି ଆସିବା ପରେ ସୁଭଦ୍ରା ନେଇ ଚିତ୍ର ଆହୁରି ସ୍ପଷ୍ଟ ହେବ। ତେବେ ଉଚ୍ଚ ବର୍ଗର ଲୋକ ଏଥିରୁ ବାଦ ପଡିପାରନ୍ତି। ବିଶେଷକରି ଯେଉଁମାନେ ଆୟକର ଦେଉଛନ୍ତି ସେମାନଙ୍କୁ ସରକାର ବାଦ ଦେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା। ହେଲେ ଏଯାଏଁ ଏସଓପି ଆସିଲା ନାହିଁ। ଯାହାକୁ ନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।