ଏବର୍ଷ ନୁହେଁ, ଆର ବର୍ଷଠାରୁ ହେବ ଛାତ୍ର ସଂସଦ ନିର୍ବାଚନ : ପୃଥୀରାଜ ହରିଚନ୍ଦନ
ଭୁବନେଶ୍ବର (ସଂକେତ ଟିଭି): ଆସନ୍ତା ଶିକ୍ଷାବର୍ଷଠାରୁ ରାଜ୍ୟର ସମସ୍ତ କଲେଜରେ ଛାତ୍ର ସଂସଦ ନିର୍ବାଚନ ହେବ। ଏଥିଲାଗି ଏ ବର୍ଷଠାରୁ ପ୍ରସ୍ତୁତି ଆରମ୍ଭ ହେବ। ଚଳିତ ବର୍ଷ ସମୟ ଅଭାବରୁ ନିର୍ବାଚନ ଠିକଣା ସମୟରେ କରାଯିବା ସମ୍ଭବ ହେଉ ନଥିବାରୁ ଆସନ୍ତା ବର୍ଷକୁ ଏଥିଲାଗି ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ସୂଚନା ଅନୁସାରେ, ଚଳିତ ବର୍ଷ ମହାବିଦ୍ୟାଳୟଗୁଡିକରେ ଛାତ୍ରସଂସଦ ନିର୍ବାଚନ ହେବା ନେଇ ଖୋଦ ଉଚ୍ଚଶିକ୍ଷାମନ୍ତ୍ରୀ ଘୋଷଣା କରିବାପରେ ବିଭିନ୍ନ ଛାତ୍ର ସଂଗଠନ ସକ୍ରିୟ ହୋଇ ଉଠିଥିଲେ। ହେଲେ ଏଯାଏଁ କୌଣସି ବିଜ୍ଞପ୍ତି ପ୍ରକାଶ ପାଉନଥିବାରୁ ନିର୍ବାଚନ ଲଢିବାପାଇଁ ଆଶାୟୀଥିବା ଛାତ୍ରଛାତ୍ରୀମାନେ ଦ୍ୱନ୍ଦରେ ରହିଥିଲେ। କାରଣ ନିର୍ବାଚନ ହେବାର ଥିଲେ ବର୍ତ୍ତମାନ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବା କଥା ଏବଂ ର୍ନିବାଚନ ସାଧାରଣତଃ ଦୁର୍ଗାପୂଜା ଛୁଟି ପୂର୍ବରୁ ହୋଇ ଫଳାଫଳ ପ୍ରକାଶ ସହିତ ପୂଜା ଛୁଟି ଘୋଷଣା କରାଯାଇଥାଏ।
ତେବେ ଛାତ୍ରସଂସଦ ନିର୍ବାଚନ ନେଇ ଛାତ୍ରଛାତ୍ରୀ ଦ୍ୱନ୍ଦରେ ରହିଥିବା ବେଳେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ବଡ଼ଚଣା ନୂଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ୪୫ ତମ ପ୍ରତିଷ୍ଠା ଦିବସରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ଚଳିତ ବର୍ଷ ନିର୍ବାଚନ ହେବ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି ଆସନ୍ତା ବର୍ଷଠୁ କଲେଜରେ ଛାତ୍ର ସଂସଦ ନିର୍ବାଚନ ହେବ। ସେପ୍ଟେମ୍ବର ମାସ ରେ କଲେଜ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥାଏ ହେଲେ ନୂଆ ସରକାର ଗଠନ ହେବା ପର ଠୁ ଯଥେଷ୍ଟ ସମୟ ନଥିବାରୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇ ପାରିନି। ଛାତ୍ର ସଂସଦ ନିର୍ବାଚନ ପାଇଁ ଏ ନେଇ କଲେଜ ଗୁଡିକୁ ପ୍ରସ୍ତୁତ କରାଯିବ ଆସନ୍ତା ବର୍ଷ କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନ ହେବ। ସେ ନେଇ ନିଷ୍ପତି ହୋଇ ସାରିଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।