LatestNews

ବଢିବ ପିଏମ ଆବାସ ଟଙ୍କା, ମିଳିବ ୬୦ ହଜାର ଅଧିକ ଟଙ୍କା

ଭୁବନେଶ୍ବର (ସଂକେତ ଟିଭି): ପିଏମ ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶିର ପରିମାଣ ବୃଦ୍ଧି ହେବ। ଏହିକ୍ରମରେ ହିତାଧିକାରୀଙ୍କ ଲାଗି ଅଧିକ ୬୦ ହଜାର ଟଙ୍କା ପ୍ରଦାନର ବ୍ୟବସ୍ଥା କରିବେ ରାଜ୍ୟ ସରକାର। ଅନୁଦାନ ୧ ଲକ୍ଷ ୨୦ ହଜାରରୁ ବଢ଼ି ୧ ଲକ୍ଷ ୮୦ ହଜାର ହେବ । ଏଥିପାଇଁ ଖୁବ ଶୀଘ୍ର ଗାଇଡଲାଇନ ଆସିବ। ଏନେଇ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି।ଏହାଛଡ଼ା ମନରେଗା ଯୋଜନା ମାଧ୍ୟମରେ ମିଳିଥିବା ସହାୟତାକୁ ମିଶାଇଲେ ଜଣେ ଆବାସ ଯୋଜନାରେ ଘର ତିଆରି ପାଇଁ ୨ ଲକ୍ଷ ଟଙ୍କା ସହାୟତା ପାଇବ ବୋଲି ସେ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି, ଏଣିକି ଶୌଚାଳୟ ନିର୍ମାଣ ଲାଗି ରାଜ୍ୟ ସରକାର ଅଧିକ ୨୦ ହଜାର ଟଙ୍କା ସହାୟତା ଦେବେ। ପୂର୍ବରୁ ୧୨ ହଜାର ଟଙ୍କା ସହାୟତା ମିଳୁଥିଲା। ପ୍ରତିଘରକୁ ମଡେଲ ଗୃହ ଭାବେ ଘୋଷଣା କରିବେ। ଏଠାକୁ ବିଜୁଳି ସଂଯୋଗ କିପରି ହେବ ସେଥିଲାଗି ବ୍ୟବସ୍ଥା କରିବେ। ଗାଁର ବିକାଶରେ ଓଡ଼ିଶାର ବିକାଶ ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହାକୁ ପୂରଣ କରିବା ଲାଗି ବ୍ୟବସ୍ଥା ଗ୍ରହଣ କରାଯିବ।

ଅନ୍ୟପଟେ, ଅନ୍ତ୍ୟୋଦୟ ଗୃହ ଯୋଜନା ନେଇ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ ବଡ଼ ସୂଚନା ଦେଇ କହିଛନ୍ତି, ବାତ୍ୟା, ବନ୍ୟା କି ହାତୀ ଘର ନଷ୍ଟ କଲେ ଅନ୍ତ୍ୟୋଦୟ ଯୋଜନା ମିଳିବ। ବିଭିନ୍ନ କାରଣରୁ ଘର ପୋଡ଼ିଯିବା ଲୋକଙ୍କୁ ବି ଅନ୍ତ୍ୟୋଦୟ ଗୃହ ମିଳିବ। ପୂର୍ବରୁ ଏହିସବୁ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ କୌଣସି ଯୋଜନା ନଥିଲା। ଭାଜପା ସରକାର ନୂଆ ଯୋଜନା ଆଣିଛନ୍ତି, ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଶ୍ରୀ ନାଏକ କହିଛନ୍ତି, ଏହା ପୂର୍ବରୁ ରାଜ୍ୟ ସରକାର ଏହି ଯୋଜନାକୁ କାର୍ଯକାରୀ କରିବାକୁ ଯାଇ କୌଣସି ନିୟମ ପାଳନ କରୁ ନଥିଲେ। ଏବେ ରାଜ୍ୟ ସରକାର ନିର୍ଦ୍ଧାରିତ ନିୟମ ପାଳନ କରିବାକୁ ଯାଉଛନ୍ତି। ଖୁବଶୀଘ୍ର ଏ ନିୟମ ସାମ୍ନାକୁ ଆସିବ। ଏହାଦ୍ୱାରା ବିଭିନ୍ନ ଅଘଟଣର ଶିକାର ହେଉଥିବା ଅନ୍ତୋଦୟ ପରିବାରର ଲୋକ କେଉଁଭଳି ସହାୟତା ପାଇବେ ତାହା ଉଲ୍ଲେଖ ରହିବ। ଅର୍ଥାତ ପ୍ରକୃତିକ ବିପର୍ଯ୍ୟୟ ହେଉ ବା ବନ୍ୟଯନ୍ତୁଙ୍କ ଆକ୍ରମଣରେ କ୍ଷତିଗ୍ରସ୍ତ ଆବାସଧାରୀଙ୍କୁ ମଧ୍ୟ ସହାୟତା କିପରି ମିଳିବ ତାହାର ମାର୍ଗଦର୍ଶିକା ନିର୍ଦ୍ଧାରଣ କରାଯିବ।

ଆଦିବାସୀ ଗାଁଗୁଡ଼ିକରେ ପ୍ରଥମ ଆବଶ୍ୟକତା ହେଉଛି ତାଙ୍କ ସଂସ୍କୃତିକୁ ବଜାୟ ରଖିବା । ଏଥିଲାଗି ତାଙ୍କ ଗାଁକୁ ରାସ୍ତା, ପାନୀୟ ଜଳ, ଜଳସେଚନ, ଜଙ୍ଗଲଜାତ ଦ୍ରବୃ ବିକ୍ରି, ଯୁବକଙ୍କୁ ବିଭିନ୍ନ ଯୋଜନାରେ ସମ୍ପୃକ୍ତ କରିବା, ସଂସ୍କୃତିକୁ ଠିକଣା ଭାବେ ପାଳନ କରିବା ଲାଗି ସରକାର ସଂକଳ୍ପବଦ୍ଧ ରହିଛି ବୋଲି କହିଛନ୍ତି ଶ୍ରୀ ନାଏକ।