ରାଜ୍ୟସଭା ପାଇଁ ନାମଙ୍କନ ଭରିଲେ ମମତା ମହାନ୍ତ
ଭୁବନେଶ୍ବର (ସଂକେତ ଟିଭି): ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ ଆଜି ବିଧାନସଭା ଆସି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମମତାଙ୍କ ନାମାଙ୍କନରେ ପ୍ରଥମ ପ୍ରସ୍ତାବକ ରହିଛନ୍ତି । ଏହି ନାମାଙ୍କନ ଦାଖଲ ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂ ତୋମର ପ୍ରମୁଖ ଉପସ୍ଥିତ ଥିଲେ।
ମୟୂରଭଞ୍ଜର କୁଡୁମୀ ସମ୍ପ୍ରଦାୟର ନେତ୍ରୀ ମମତାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇଥିଲା। ୨୦୨୬ ମସିହା ଏପ୍ରିଲ ୨ ତାରିଖରେ ମମତାଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା। ମାତ୍ର ଏହା ପୂର୍ବରୁ ସେ ଗତ ଜୁଲାଇ ୩୧ ତାରିଖରେ ସାଂସଦ ଓ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ୨୪ ଘଣ୍ଟା ମଧ୍ୟରେ ବିଜେପିରେ ଯୋଗ ଦେଇଥିଲେ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ପୂର୍ବ ରାଜ୍ୟ ଉପସଭାପତି ସମୀର ମହାନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ନାମ ରାଜ୍ୟସଭା ପ୍ରାର୍ଥୀ ପାଇଁ ଶୁଣାଯାଉଥିଲେ ହେଁ ଏଥିନେଇ ଦଳରେ ସହମତି ହୋଇ ନ ଥିଲା।