FeaturedLatestNewsSports

ପ୍ୟାରିସ ଅଲିମ୍ପିକ ବ୍ରୋଞ୍ଜ ବିଜୟୀ ଭାରତୀୟ ହକି ଦଳକୁ ଓଡିଶାରେ ଭବ୍ୟ ସ୍ବାଗତ

ଭୁବନେଶ୍ବର (ସଂକେତ ଟିଭି): ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ପଦକ ହାସଲ କରିଥିବା ଭାରତୀୟ ହକି ଦଳ ଓଡ଼ିଶାରେ ପହଞ୍ଚିଛି। ଏୟାରପୋର୍ଟରେ ପହଞ୍ଚିବା ପରେ ଭାରତୀୟ ହକି ଦଳକୁ ପାରମ୍ପରିକ ନୃତ୍ୟଗୀତରେ ଭବ୍ୟ ସ୍ବାଗତ କରାଯାଇଛି। ଏହାପରେ ବିମାନ ବନ୍ଦରରୁ ଖୋଳାଳିମାନଙ୍କୁ ଏକ ବିଶାଳ ରୋଡ଼ ସୋ’ରେ କଳିଙ୍ଗ ଷ୍ଟାଡିୟମକୁ ଅଣାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନଭେନ୍ସନ୍ ସେଣ୍ଟରରେ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଅଗଷ୍ଟ ୮ରେ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଅନୁଷ୍ଠିତ ମୁକାବିଲାରେ ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି କାଂସ୍ୟ ପଦକ ହାସଲ କରିଥିଲା। ଭାରତ ଏହା ପୂର୍ବରୁ ସେମିଫାଇନାଲରେ ଜର୍ମାନୀଠାରୁ ୨-୩ ଗୋଲରେ ପରାସ୍ତ ହୋଇଥିଲା।

ଭାରତୀୟ ହକି ଦଳ କ୍ରମାଗତ ଦୁଇଟି ଅଲିମ୍ପିକ୍ସରେ କାଂସ୍ୟ ପଦକ ହାସଲ କରି ଏକ ବିରଳ ସଫଳତା ଅର୍ଜନ କରିଛି। ଏହାପୂର୍ବରୁ ଭାରତ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ କାଂସ୍ୟ ପଦକ ଜିତିଥିଲା। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଓଡ଼ିଶା ସରକାର ୨୦୧୮ରେ ଭାରତୀୟ ପୁରୁଷ, ମହିଳା ହକି ଦଳର ମୁଖ୍ୟ ପ୍ରାୟୋଜକ ଭାବେ ଦାୟିତ୍ୱ ହାତକୁ ନେଇଥିଲା। ୨୦୨୩ରେ ରାଜ୍ୟ ସରକାର ଏହି ପ୍ରାୟୋଜନ ଚୁକ୍ତିକୁ ଆହୁରି ୧୦ ବର୍ଷ ପାଇଁ ଅର୍ଥାତ ୨୦୩୩ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ଏହାପରେ ଚଳିତ ବର୍ଷ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରାୟୋଜନ ଚୁକ୍ତିକୁ ୨୦୩୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।