ମିଡ୍ ଡେ ମିଲ୍ ପାଇଁ ବଢିବ ସହାୟତା ରାଶି
ଭୁବନେଶ୍ବର (ସଂକେତ ଟିଭି): ମଧ୍ୟାହ୍ନ ଭୋଜନ ପ୍ରତି ମିଲ ପିଛା ଦାମକୁ ୧ ଟଙ୍କା ବୃଦ୍ଧି କରାଯିବ । । ଦରଦାମ୍ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ଖୁବ ଶୀଘ୍ର ଏହାର ବ୍ୟବସ୍ଥା କରିବେ । ଦୀର୍ଘ ଦିନ ଧରି ମଧ୍ୟାନ୍ନ ଭୋଜନ ବୃଦ୍ଧି କରିବାକୁ ଦାବି ହେଇ ଆସୁଥିଲା । କମ ପଇସା ମିଳୁଥିବାରୁ ଏହାକୁ ନେଇ ଅନେକ ଅସନ୍ତୋଷ ଦେଖିବାକୁ ମିଳୁଥିଲା । ହେଲେ ଏବେ ରାଜ୍ୟ ସରକାର ଏହି ପରିମାଣ ବୃଦ୍ଧି କରିବାକୁ ଯାଉଛନ୍ତି ।
ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୁଣ୍ଡପିଛା ହିସାବରେ ୧୦୦ ଗ୍ରାମ ଚାଉଳ ସହ ୫ ଟଙ୍କା ୯୦ ପଇସା ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ମୁଣ୍ଡପିଛା ୧୫୦ଗ୍ରାମ ଚାଉଳ ଓ ୮ ଟଙ୍କା ୮୨ ପଇସା ଆର୍ଥିକ ସହାୟତା ସରକାର ଦେଉଛନ୍ତି । ଦିନକୁ ଦିନ ଦରଦାମ ବୃଦ୍ଧି ପାଉଥିବା ବେଳେ ଏତିକି ଟଙ୍କାରେ ମଧ୍ୟାହ୍ନ ଭୋଜନ ଯୋଗାଇବା ସ୍କୁଲ୍ କର୍ତ୍ତୃପକ୍ଷଙ୍କ ପକ୍ଷେ ଅସମ୍ଭବ । ଏତିକି ଟଙ୍କାରେ ପିଲାଙ୍କ ମୁହଁରେ ପୁଷ୍ଟିକର ଆହାର ଦେବା ଏବେ କାଠିକର ପାଠ ହେଉଛି ବୋଲି ସ୍କୁଲ କର୍ତ୍ତୃପକ୍ଷ ବାରମ୍ବାର ଅଭିଯୋଗ କରୁଥିଲେ ।
ସୂଚନା ଅନୁଯାୟୀ, ୨୦୨୦ରେ ସରକାର ମଧ୍ୟାହ୍ନ ଭୋଜନ ପାଇଁ ପ୍ରାଥମିକ ସ୍କୁଲ୍ ପିଲା ପିଛା ୫ ଟଙ୍କା ୪୨ ପଇସା ଓ ଉଚ୍ଚ ପ୍ରାଥମିକ ପିଲା ମୁଣ୍ଡପିଛା ୮ଟଙ୍କା ୧୦ ପଇସା ଅର୍ଥ ରାଶି ପ୍ରଦାନ କରୁଥିଲେ । ମାତ୍ର ଗ୍ୟାସ, ରାସନ ସାମଗ୍ରୀ ଦର ବୃଦ୍ଧି ପରେ ଶେଷ ଥର ୨୦୨୨ ଅକ୍ଟୋବର ୧ରେ ଏମ୍ ଡିଏମ୍ ଅନୁଦାନ ରାଶି ବୃଦ୍ଧି କରିଥିଲେ । ଯେଉଁଥିରେ ପ୍ରାଥମିକ ସ୍କୁଲ୍ ପିଲାଙ୍କ ମୁଣ୍ଡ ପିଛା ୫ ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ପିଲାଙ୍କ ମୁଣ୍ଡ ପିଛା ୮ ଟଙ୍କା ୮୨ ପଇସା ଦେଉଛନ୍ତି। ତେବେ ଏବେ ଯଦି ୧ ଟଙ୍କା ଲେଖାଏଁ ମଧ୍ୟାହ୍ନ ଭୋଜନ ରାଶିରେ ବୃଦ୍ଧି କରାଯାଏ ତେବେ ସରକାର ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ୬ ଟଙ୍କା ୯୦ ପଇସା ଏବଂ ଉଚ୍ଚ ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରାଶି ୯ ଟଙ୍କା ୮୨ ପଇସା ପ୍ରଦାନ କରିପାରନ୍ତି ।