ଓଡିଶାର ୯ ଜିଲ୍ଲାରେ ସୁନାଖଣିର ସନ୍ଧାନ ମିଳିଛି, ବିଧାନସଭାରେ ଖଣି ମନ୍ତ୍ରୀଙ୍କ ବୟାନ
ଭୁବନେଶ୍ୱର(ସଂକେତ ଟିଭି): ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ସୁନା ଖଣିର ଥିବାର ସନ୍ଧାନ ମିଳିଛି । ଦେବଗଡ଼ ଜିଲ୍ଲା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ଏହି ସୁନା ଗଚ୍ଛିତ ଅଛି । କେନ୍ଦୁଝରର ଗୋପୁର-ଗାଜିପୁର ଅଞ୍ଚଳରେ ମଧ୍ୟ ସୁନା ଖଣି ସନ୍ଧାନ ମିଳିଥିବାର ପ୍ରତ୍ନତାତ୍ତ୍ବିକ ବିଭାଗ ପକ୍ଷରୁ କୁହାଯାଇଛି । ଏବେ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଉଛି ।
ଆଜି (ଗୁରୁବାର) ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ଉତ୍ତର ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ଦେବଗଡ଼ ଜିଲ୍ଲା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି । ସେହିପରି କେନ୍ଦୁଝର ଜିଲ୍ଲାର ଗୋପୁର-ଗାଜିପୁର ଅଞ୍ଚଳରେ ସୁନା ଗଚ୍ଛିତ ରହିଛି । ମାଙ୍କଡ଼ଚୁଆଁ, ସଲେଇକଣା ଓ ଡ଼ିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚି଼ହ୍ନଟ ଚାଲିଛି । ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୂରିଆଗୁଡା, ରୁଆଁସୀ, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନା ଖଣି ଅନ୍ବେଷଣ କରାଯାଉଛି ।
ଏହାସହିତ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୋଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ସୁନା ଖଣି ଥିବା ସୂଚନା ମିଳିଛି । ଏବେ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି ।
୧୯୮୧-୮୩ ଏବଂ ୧୯୮୯-୯୬ରେ ଚିହ୍ନିତ କରାଯାଇଥିବା କେନ୍ଦୁଝର ଜିଲାର ଗୋପୁର-ଗାଜିପୁର ଅଞ୍ଚଳରେ ପ୍ରାଥମିକ ସର୍ବେକ୍ଷଣରୁ ମିଳିଥିବା ସୂଚନା ଆଧାରରେ ସୁନା ଖଣିର ପୁନଃ ଅନୁସନ୍ଧାନ କାର୍ଯ୍ୟକ୍ରମ ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଏବଂ ଖଣି ଭୂତତ୍ତ୍ବ ନିର୍ଦ୍ଦେଶାଳୟର ମିଳିତ ସହେଯୋଗରେ ଜି-୨ସ୍ତରରେ ୨୦୨୧-୨୦୨୨ରୁ ଚାଲୁ ରହିଛି। ଏହି ଖଣିର ମାନ ଓ ପରିମାଣ ନିର୍ଦ୍ଧାରଣ କରାଯାଇ ନ ଥିବାରୁ ଏହାର ଉତ୍ତୋଳନ ନିମନ୍ତେ ସରକାରୀସ୍ତରରେ ବର୍ତ୍ତମାନ କୌଣସି ଯୋଜନା ନାହିଁ। ମାଙ୍କଡ଼ଚୁଆଁ, ସଇେଲକଣା, ଡିମିରିମୁଣ୍ଡା ଅଞ୍ଚଳରେ ଓଡ଼ିଶା ଖଣି ନିଗମ ଦ୍ବାରା ଜି-୪ ଏବଂ ଜି-୩ସ୍ତରରେ ସୁନାଖଣି ଚିହ୍ନଟ ପାଇଁ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।
ଗତବର୍ଷ ଫେବୃଆରୀରେ ତତ୍କାଳୀନ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ଜେନା ମଧ୍ୟ ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସୁନା ଖଣି ଥିବା ବିଧାନସଭାରେ ସୂଚନା ଦେଇଥିଲେ । ଦେବଗଡ଼ ଆଡାସ ଅଞ୍ଚଳରେ ସୁନା ଖଣି ସାଙ୍ଗକୁ କପର, ରୂପା, ନିକେଲ ଆଦି ରହିଛି । ରାଜ୍ୟ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଥିବା ମନ୍ତ୍ରୀ କହିଥିଲେ । ଆଜି ବର୍ତ୍ତମାନର ଖଣି ମନ୍ତ୍ରୀ ବିଭୂତି ଜେନା ଏହି ତିନି ଜିଲ୍ଲା ବ୍ୟତୀତ ରାଜ୍ୟର ଆହୁରି ଅନେକ ଜିଲ୍ଲାରେ ସୁନା ଖଣି ଥିବା ବିଧାନସଭାରେ ଜଣାଇଛନ୍ତି ।