FeaturedLatestNews

ବେଆଇନ ମଦଭାଟିରେ ଚାଲିବ ବୁଲ୍‌ଡୋଜର: ଅବକାରୀ ମନ୍ତ୍ରୀ

ଭୁବନେଶ୍ୱର(ସଂକେତ ଟିଭି): ଚୋରା ମଦଭାଟି ଉପରେ ବୁଲ୍‌ଡୋଜର ଚଲାଇ ତାକୁ ଧୂଳିସାତ୍‌ କରାଯିବ । ଚୋରା ମଦ କାରବାର ନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହା କହିଛନ୍ତି ।

ସେ କହିଛନ୍ତି, ରାଜ୍ୟରେ ବେଆଇନ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ ହେବ । ୨୧୭ଟି ଚିହ୍ନଟ ହୋଇଥିବା ବେଆଇନ ମଦଭାଟି ଭଙ୍ଗା ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟରେ କୌଣସି ବେଆଇନ ମଦଭାଟି ରହିବ ନାହିଁ । ଚିକିଟି ଘଟଣାରେ ଅବକାରୀ ଇନ୍ସପେକ୍ଟର, ଜଣେ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ଅବକାରୀ ଅଧିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଗତ ମଙ୍ଗଳବାରଠାରୁ ରାଜ୍ୟବ୍ୟାପୀ ବିଷାକ୍ତ ମଦଭାଟି ଉପରେ ରେଡ୍ ହେଉଛି । ଯେଉଁଠି ମଦ ଭାଟି ରହିଛି ବୁଲଡୋଜର ମାଧ୍ୟମରେ ସେଗୁଡିକ ନଷ୍ଟ କରାଯାଉଛି ।

ଏଥିସହିତ ମନ୍ତ୍ରୀ କହିଛନ୍ତି, ଏଭଳି ମାମଲାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ। ବେଆଇନ ତଥା ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ନିକଟରେ ଗଞ୍ଜାମ ଜିଲା ଚିକିଟିଠାରେ ହୋଇଥିବା ମଦ ଘଟଣା ନେଇ ମନ୍ତ୍ରୀ ହରିଚନ୍ଦନ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ଅବକାରୀ କମିଶନର ନରସିଂହ ଭୋଳଙ୍କ ସହ ଆଲୋଚନା କରିବା ସହ ଏ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଥିଲେ। ରାଜ୍ୟରେ ବେଆଇନ ମଦ କାରବାର କେବେ ବି ଗ୍ରହଣୀୟ ନୁହେଁ। ତେଣୁ ଏହି ଘଟଣା ନେଇ ରାଜ୍ୟର ସମସ୍ତ ଅଞ୍ଚଳରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ବେଆଇନ ମଦ ଭାଟି ଓ ବିକ୍ରି ସ୍ଥାନରେ ଚଢ଼ାଉ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଚିକିଟି ଘଟଣାରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କୁ ସ୍ବତନ୍ତ୍ର ଚିକିତ୍ସା ସହାୟତା ଯୋଗାଇ ଦେବାକୁ ମନ୍ତ୍ରୀ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଚିକିତ୍ସିତ ହେଉଥିବା ସମସ୍ତଙ୍କ ଅବସ୍ଥା ଭଲ ଅଛି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଚିକିଟି ବେଆଇନ ମଦ କାରବାର ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଅବକାରୀ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୭,୨୭୪ ଲିଟର ବେଆଇନ ମଦ ଜବତ କରାଯିବା ସହ ୧୧୭ ଜଣଙ୍କୁ ଗିରଫ କରାଯାଇଛି। ଏଥି ମଧ୍ୟରୁ କେବଳ ଗଞ୍ଜାମ ଜିଲାରେ ୩୮୫ ଲିଟର ମଦ ଜବତ ହୋଇଛି। ଆଗାମୀ ଦିନରେ ଏପରି ଚଢ଼ାଉକୁ ଜୋର୍‌ଦାର କରାଯିବା ସହ ବେଆଇନ ମଦ କାରବାରରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେପଟେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ପ୍ରତାପ ଜେନା ପ୍ରେସମିଟ କରି ବିଜେପି ସରକାରର ଅବକାରୀ ନୀତିକୁ କଡା ସମାଲୋଚନା କରିଛନ୍ତି । ମଦ ଦୋକାନ ଖୋଲାଯିବା ପ୍ରସଙ୍ଗରେ ସରକାରର ମନ୍ତ୍ରୀମାନେ ଭିନ୍ନ ଭିନ୍ନ ମତପୋଷଣ କରୁଛନ୍ତି । କୌଣସି ନୀତିଗତ ସ୍ପଷ୍ଟତା ନାହିଁ ବୋଲି ପ୍ରତାପ ଅଭିଯୋଗ କରିଥିଲେ । ଏହା ସହ ନିରଞ୍ଜନ ପୂଜାରୀଙ୍କ ନେତୃତ୍ବାଧୀନ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଘଟଣାସ୍ଥଳରୁ ଫେରିବା ପରେ ଦଳ ସୁପ୍ରିମୋଙ୍କୁ ରିପୋର୍ଟ ଦେବ । ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ପ୍ରତାପ କହିଥିଲେ ।