FeaturedGeneralLatestPolitics

ଜାମ୍ମୁ କାଶ୍ମୀରରେ ନ୍ୟାସନାଲ କନଫରେନ୍ସ ସହ ମେଣ୍ଟ କରି ନିର୍ବାଚନ ଲଢିବ କଂଗ୍ରେସ

ନୂଆଦିଲ୍ଲୀ (ସଂକେତ ଟିଭି): କଂଗ୍ରେସ ଜାମ୍ମୁ କାଶ୍ମୀରରେ ନ୍ୟାସନାଲ କନଫରେନ୍ସ ସହ ମେଣ୍ଟ କରି ନିର୍ବାଚନ ଲଢିବ । ପୂର୍ବତନ ସିଏମ୍ ଫାରୁକ ଅବଦୁଲା ଗୁରୁବାର ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଦୀର୍ଘ ସମୟ ବୈଠକ କରିବା ପରେ ଏହି ଘୋଷଣା କରିଛନ୍ତି ।

ଅବଦୁଲା କହିଛନ୍ତି ଯେ ଖୁବଶୀଘ୍ର ଆସନ ବୁଝାମଣା ହେବା ସହ ମେଣ୍ଟର ଘୋଷଣାପତ୍ର ଜାରି କରାଯିବ । ପିଡିପି ସହ ମେଣ୍ଟ ସମ୍ଭାବନା ନେଇ ସାମ୍ୱାଦିକଙ୍କ ପ୍ରଶ୍ନରେ ସେ ସକାରାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି । ସେ କହିଛନ୍ତି ଯେ ସମାନ ବିଚାରାଧାରା ଥିବା ଦଳ ପାଇଁ ଆମ କବାଟ ସବୁବେଳେ ଖୋଲା ରହିଛି ଏବଂ ଭବିଷ୍ୟତରେ ବିଚାର କରାଯାଇପାରିବ । ତେବେ ବିଜୟ ସ୍ଥିତିରେ ମୁଖ୍ୟମନ୍ତ୍ରୀ ହେବା ପ୍ରଶ୍ନକୁ ସେ ହସି ଏଡାଇ ଦେଇଛନ୍ତି

ଫାରୁକ କହିଛନ୍ତି ଯେ ଆମ ଲୋକଙ୍କ ସମର୍ଥନ ରହିଛି । ଏଠାରେ ୧୦ ବର୍ଷ ଯାଏ ଆମ ଲୋକ ସଂଘର୍ଷ କରିଛନ୍ତି । ଏବେ ଆମେ ସେମାନଙ୍କ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଆଶାକୁ ପୂରଣ କରିବୁ । ଆମର ଗୋଟିଏ ସଂକଳ୍ପ ଯେ ସମସ୍ତେ ଏକ ହୋଇ ବିଭାଜନକାରୀ ଶକ୍ତିକୁ ହଟାଇବୁ ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ଆମେ ନେତାଙ୍କ ସହ ବୈଠକ କରି ନିର୍ବାଚନୀ ରଣନୀତି ପାଇଁ ପରାମର୍ଶ ଲୋଡ଼ିଛୁ । ରାହୁଲ ଗାନ୍ଧୀ ସବୁ ଦଳଙ୍କୁ ନେଇ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ଏବଂ କଂଗ୍ରେସ ଇଣ୍ଡି ମେଣ୍ଟ ରଣନୀତି ଏଠାରେ ମଧ୍ୟ ଚାହୁଁଛି ।

ରାହୁଲ ଗାନ୍ଧୀ କହିଛନ୍ତି, କଂଗ୍ରେସ ପାର୍ଟି ଏବଂ ଇଣ୍ଡି ମେଣ୍ଟର ପ୍ରାଥମିକତା ଯେ ଜାମ୍ମୁ କାଶ୍ମୀର ପୂର୍ଣ୍ଣ ରାଜ୍ୟ ମାନ୍ୟତା ଶୀଘ୍ର ଫେରି ପାଉ । ଆମେ ଆଶା ରଖିଥିଲୁ ଯେ ନିର୍ବାଚନ ପୂର୍ବରୁ ଏହା ହୋଇଯିବ, କିନ୍ତୁ ନିର୍ବାଚନ ତାରିଖ ଘୋଷଣା ସରିଛି । ଆମେ ଆଶା କରୁଛୁ ଯେ ଶୀଘ୍ର ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ ଏବଂ ଜାମ୍ମୁ କାଶ୍ମୀରର ଲୋକଙ୍କ ଅଧିକାର ଫେରାଯିବ ।