‘ସୁଭଦ୍ରା ଯୋଜନା’ ଏସଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହାକୁ ମିଳିବ ଓ କାହାକୁ ମିଳିବନି
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ କ୍ୟାବିନେଟ ବୈଠକ ସୁଭଦ୍ରା ଯୋଜନାର ଏସଓପିକୁ ଅନୁମୋଦନ ପ୍ରଦାନ କରିବା ପରେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ନିୟମାବଳୀ ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ୨୧ରୁ ୬୦ ବର୍ଷର ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ।ଆଧାର ପେମେଣ୍ଟ ବ୍ରିଜ୍ ସିଷ୍ଟମ (APBS)ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନଙ୍କ ଆଧାର-ସକ୍ଷମ ଏକକ-ଧାରକ (DBT) ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ରାଜ୍ୟର ଏକ କୋଟିରୁ ଅଧିକ ମହିଳା ଏହା ଦ୍ୱାରା ଲାଭବାନ ହେବେ । ପ୍ରତ୍ୟେକ ବର୍ଷ ରାଖୀ ପୂର୍ଣ୍ଣିମା ଓ ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ଏକାଉଣ୍ଟକୁ ୫ ହଜାର ଲେଖାଏଁ ଟଙ୍କା ଯିବ। ଏପରି ବର୍ଷକୁ ୧୦ ହଜାର କରି ୫ ବର୍ଷରେ ମହିଳାଙ୍କ ଆକାଉଣ୍ଟକୁ ମୋଟ ୫୦ ହଜାର ଟଙ୍କା ଯିବ।
ସରକାର ପ୍ରକାଶ କରିଥିବା ବିସ୍ତୃତ ଏସଓପିରେ ସୁଭଦ୍ରା ଯୋଜନା ପାଇଁ କିଭଳି ଆବେଦନ କରିବେ ସେନେଇ ସୂଚନା ଦେଇଛନ୍ତି। ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟରେ ଯୋଗ୍ୟ ହିତାଧିକାରୀମାନେ ଆବେଦନ କରିପାରିବେ। ଏଥିସହିତ ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ରରେ ମଧ୍ୟ ଆବେଦନ କରିହେବ। ଏସବୁ ଜାଗାରେ ମାଗଣାରେ ଫର୍ମ ମିଳିବ, ଯେଉଁଥିରେ ଲୋକେ ଆବେଦନ କରିବେ। ସେହିପରି ଯୋଜନା ସମ୍ପର୍କିତ ସୂଚନା ପାଇଁ ଏକ କଲ୍ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ ହେବ।
ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ Urban Local Body ରେ ସର୍ବାଧିକ ପରିମାଣର ଡିଜିଟାଲ୍ କାରବାର କରିଥିବା ୧୦୦ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଅତିରିକ୍ତ ୫୦୦ ଟଙ୍କା ପ୍ରୋତ୍ସାହନ ରାଶି ରୂପେ ପ୍ରଦାନ କରାଯିବ ।
ତେବେ ଏହି ଯୋଜନାର ଲାଭ କେଉଁମାନେ ପାଇବେ ଏବଂ କେଉଁମନେ ବାଦ ପଡ଼ିବେ ସେନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଆର୍ଥିକ ସ୍ବଚ୍ଛଳ ବର୍ଗର ମହିଳା ଏହି ଯୋଜନାରୁ ବଞ୍ଚିତ ହେବେ। ସରକାରୀ ଚାକିରି କରୁଥିବା ମହିଳା ଏବଂ ଘରୋଇ କ୍ଷେତ୍ରରେ ଚାକିରି କରୁଥିବା ମହିଳା ସୁଭଦ୍ରା ସହାୟତା ପାଇବେନି । କାରଣ ଆୟକର ପ୍ରଦାନ କରୁଥିବା ମହିଳାମାନେ ଏହି ସହାୟତା ପାଇବେ ନାହିଁ ବୋଲି ସରକାର ସୂଚନା ଦେଇଛନ୍ତି। ସେହିପରି ଅନ୍ୟ ସରକାରୀ ଯୋଜନାରେ ସହାୟତା ପାଉଥିଲେ ମଧ୍ୟ ସହାୟତା ମିଳିବନି। ଏପରିକି ମାସିକ ୧୫ଶହ ବା ବାର୍ଷିକ ୧୮ ହଜାର ପାଉଥିଲେ ମଧ୍ୟ ସୁଭଦ୍ରା ଯୋଜନାରେ ସହାୟତା ମିଳିବନି। ଏହାର କାର୍ଯ୍ୟକାରିତା ତଦାରଖ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ଏକ ସୁଭଦ୍ରା ସମିତି ସୋସାଇଟି ଗଠନ କରାଯିବ।
ଏନେଇ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରି କହିଛନ୍ତି ୨୩.୦୮.୨୪ ଆଜି ଏହି ଶୁଭ ଦିନରେ ମୁଁ ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ଯୋଜନା “ସୁଭଦ୍ରା” କୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ସମ୍ପର୍କରେ ଆପଣମାନଙ୍କୁ ଅବଗତ କରାଉଛି। ୨୨ ଅଗଷ୍ଟ ୨୦୨୪ ତାରିଖରେ ଲୋକସେବା ଭବନରେ ଆୟୋଜିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକର ନିଷ୍ପତ୍ତି ଅନୁଯାୟୀ ଏହି ଯୋଜନା ଆର୍ଥିକ ବର୍ଷ ୨୦୨୪-୨୫ ରୁ ଆରମ୍ଭ ହୋଇ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏଥିପାଇଁ ୫୫,୮୨୫ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ ହୋଇଛି । ଏହି ଯୋଜନା ରାଜ୍ୟର ୧ କୋଟିରୁ ଉର୍ଦ୍ଧ ମହିଳାମାନଙ୍କର ଜୀବନରେ ପରିବର୍ତ୍ତନ ଆଣିବ । ଏଥିରେ ରାଜ୍ୟର ୨୧ ବର୍ଷ କିମ୍ବା ତଦୁର୍ଷ ଏବଂ ୬୦ ବର୍ଷରୁ କମ୍ ସମସ୍ତ ଯୋଗ୍ୟ ମହିଳାମାନଙ୍କୁ ସାମିଲ କରାଯିବ ।