FeaturedGeneralLatest

ନୂଆ ପେନସନ ଯୋଜନାକୁ ମଂଜୁରୀ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ (ସଂକେତ ଟିଭି): କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ପେନସନ ସ୍କିମ୍ ଆଣିଛନ୍ତି । କେନ୍ଦ୍ର କ୍ୟାବିନେଟ ୟୁନିଫାଏଡ୍ ପେନସନ ସ୍କିମ୍ (ୟୁପିଏସ୍) ଉପରେ ଆଜି ଅନୁମୋଦନ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ସରକାରୀ କର୍ମଚାରୀଙ୍କୁ ନିଶ୍ଚିତ ପେନସନ, ପାରିବାରିକ ପେନସନ ଏବଂ ନିଶ୍ଚିତ ସର୍ବନିମ୍ନ ପେନସନ ପ୍ରଦାନ କରିବା।

ନୂତନ ପେନସନ ଯୋଜନାରେ ଉନ୍ନତି ଆଣିବା ପାଇଁ ଡ. ସୋମନାଥ କମିଟି ଗଠନ କରାଯାଇଥିଲା। ଏହି କମିଟି ବିସ୍ତୃତ ଆଲୋଚନା ପରେ ରିପୋର୍ଟ ଉପସ୍ଥାପନ କରିଥିଲା। ସରକାରୀ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୟୁପିଏସ୍‌କୁ ମଞ୍ଜୁର ଦେଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏହି ନୂଆ ଯୋଜନା ଦ୍ୱାରା ୨୩ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଉପକୃତ ହେବେ। ଚାକିରି ପରେ ମିଳୁଥିବା ପେନସନକୁ ଦୃଷ୍ଟିରେ ରଖି ଏହି ଯୋଜନା ଅଣାଯାଉଛି ।

ସରକାରୀ କର୍ମଚାରୀମାନେ NPS ଓ UPS ମଧ୍ୟରୁ ଯେଉଁଟା ଚାହିଁବେ, ତାହା ନେଇପାରିବେ। କର୍ମଚାରୀମାନେ ଦୁଇଟି ପେନ୍‌ସନ୍‌ ସ୍କିମ୍‌ ମଧ୍ୟରୁ ଗୋଟିଏର ଲାଭ ଉଠାଇ ପାରିବେ।

ସେ ଆହୁରି କହିଛନ୍ତି, ଏହି ଯୋଜନାରେ କେନ୍ଦ୍ର ସରକାରଙ୍କର ୨୩ ଲକ୍ଷ କର୍ମଚାରୀ ଉପକୃତ ହେବେ। ଏଥିସହିତ ୟୁପିଏସରେ ସରକାରଙ୍କ ଅବଦାନ ୧୮% ହେବ। ଏହି ଯୋଜନା ୨୦୨୫ ଏପ୍ରିଲ ୧ରୁ ଲାଗୁ ହେବ।

କର୍ମଚାରୀମାନେ ଏକ ନିର୍ଦ୍ଦିଷ୍ଟ ପରିମାଣର ନିଶ୍ଚିତ ରାଶି ଦାବି କରୁଥିଲେ। ୟୁପିଏସ୍ ଅଧୀନରେ କର୍ମଚାରୀମାନଙ୍କୁ ଅବସର ପରେ ୫୦% ନିଶ୍ଚିତ ଅର୍ଥ ପେନସନ ଭାବେ ଦିଆଯିବ। ଏହା ଅବସରର ନେବାର ୧୨ ମାସର ଆଭରେଜ ମୂଳ ଦରମାର ୫୦% ରହିବ।

କର୍ମଚାରୀମାନେ ୨୫ ବର୍ଷ କାମ କରିବା ପରେ ହିଁ ଏହି ପେନସନ ପାଇବେ। ଯଦି କୌଣସି କର୍ମଚାରୀଙ୍କ ଦେହାନ୍ତ ହୋଇଯିବ, ତା’ହେଲେ ଏହି ଯୋଜନା ଅଧୀନରେ ପାରିବାରିକ ପେନସନ ପାଇଁ ବି ବ୍ୟବସ୍ଥା ରହିବ। ପରିବାର ଲୋକ ୬୦% ଅର୍ଥ ପେନସନ ଆକାରରେ ପାଇବେ।

ଯଦି ଜଣେ କର୍ମଚାରୀଙ୍କ ସେବା ୨୫ ବର୍ଷରୁ କମ୍ ଓ ସର୍ବାଧିକ ୧୦ ବର୍ଷ ହୋଇଥିବ, ତେବେ ସେ ପ୍ରତି ମାସରେ ୧୦ ହଜାର ଟଙ୍କା ପେନସନ ଆକାରରେ ପାଇବେ।

ବର୍ତ୍ତମାନ ଲାଗୁ ହେଉଥିବା ପେନସନ ବ୍ୟବସ୍ଥାରେ କର୍ମଚାରୀଙ୍କ ଯୋଗଦାନ ୧୦% ରହିଥିବା ବେଳେ ସରକାର ୧୪% ଯୋଗଦାନ କରୁଛନ୍ତି। କିନ୍ତୁ ୟୁପିଏସ୍‌ରେ ସରକାରଙ୍କ ଯୋଗଦାନ ୧୮% ରହିବ।