ଆଇଏଲଏସ୍ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
ଭୁବନେଶ୍ୱର (ସଂକେତ ଟିଭି): ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲଏସ୍) ବୈଜ୍ଞାନିକ ଡକ୍ଟର ସନ୍ଦୀପ ମିଶ୍ର ଆତ୍ମହତ୍ୟା କରିଥିବା ଜଣାପଡିଛି । ଆଜି ସକାଳେ ଭୁବନେଶ୍ବର ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।
ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲ୍ଏସ୍)ରେ କାର୍ଯ୍ୟରତ ବୈଜ୍ଞାନିକ ଶ୍ରୀ ମିଶ୍ର ସ୍ତନ କର୍କଟ ରୋଗର ଔଷଧ ଆବିଷ୍କାର କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ। ଡକ୍ଟର ମିଶ୍ରଙ୍କ ଆବିଷ୍କାର ଅନେକ ପ୍ରସିଦ୍ଧ ବିଜ୍ଞାନ ତଥା ନେଚର ଗ୍ରୁପ୍ ଅଫ୍ ଜର୍ଣ୍ଣାଲରେ ମଧ୍ୟ ପ୍ରକାଶ ପାଇଥିଲା। ତେବେ ସନ୍ଦୀପ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଏହାପଛର କାରଣ ସ୍ପଷ୍ଟ ହୋଇନାହିଁ। ପୋଲିସ ପହଞ୍ଚି ଛାନ୍ ଭିନ୍ ଜାରି ରଖିଛି ।
ଅନ୍ୟପଟେ ମୃତ୍ୟୁର କାରଣ ହୃଦଘାତ ହୋଇଥିବା ମୃତ ସନ୍ଦୀପଙ୍କ ଶାଳୀ କହିଛନ୍ତି । ମୃତ ସନ୍ଦୀପଙ୍କ ଶାଳୀ ରାଜଲକ୍ଷ୍ମୀ ମଜୁମଦାର ପ୍ରତିକ୍ରିୟା ରଖି କହିଛନ୍ତି,”ଦିନକ ପୂର୍ବରୁ ସେ ଚିକେନ ଖାଇବା ପରେ ଅସୁସ୍ଥତା ଅନୁଭବ କରିଥିଲେ । ଗତକାଲି ସକାଳ 5ଟା ସମୟରେ ସେ ହସ୍ପିଟାଲକୁ ଯାଇଥିଲେ । ଇସିଜି କରିଥିଲେ, ବ୍ଲଡ଼ ଟେଷ୍ଟ କରିଥିଲେ । ଦିନ ତମାମ ମେଡ଼ିକାଲରେ ଟ୍ରିଟମେଣ୍ଟ ହୋଇ ସନ୍ଧ୍ୟାରେ ଫେରିଥିଲେ । ରାତି ପ୍ରାୟ ୧୦ଟା ୩୦ରେ ସେ ଅସୁସ୍ଥ ଅନୁଭବ କରିବା ସହ ବ୍ରିଥ ପ୍ରୋବ୍ଲେମ ଥିଲା । ନିଃଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହେବାରୁ ୬ନମ୍ବର ମେଡିକାଲ ନିଆୟାଇଥିଲା । ଚିକିତ୍ସିତ ହେଉଥିବା ସମୟରେ ଗତକାଲି ରାତି ୧ଟା ୩୦ରେ ହାର୍ଟଚୋକ ହୋଇ ମୃତ୍ୟୁ ହୋଇଛି ।” ଅନ୍ୟପଟେ ସେ ଅସୁସ୍ଥ ଥିବା କିମ୍ବା ଚିକିତ୍ସିତ ହୋଇ ଫେରିଥିବା କଥା ପୋଲିସ ପକ୍ଷରୁ କୁହାଯାଇନି । ପୋଲିସ କୌଣସି କାରଣକୁ ସାମ୍ନାକୁ ନଆଣି ତଦନ୍ତ ଆରମ୍ଭ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିପାରେ ।