ନୂଆ ପେନସନ୍ ସ୍କିମ୍ କୁ ନେଇ ମୋଦି ସରକାରକୁ ଟାର୍ଗେଟ କଲା କଂଗ୍ରେସ୍
ନୂଆଦିଲ୍ଲୀ (ସଂକେତ ଟିଭି): କେନ୍ଦ୍ର ସରକାର କର୍ମଚାରୀଙ୍କ ଲାଗି ୟୁନିଫାଏଡ ପେନସନ ସ୍କିମ (ୟୁପିଏସ୍) ଘୋଷଣା କରିଛନ୍ତି। ଏହି ସ୍କିମ ଦେଶରେ ୧ ଏପ୍ରିଲ ୨୦୨୫ରୁ ଲାଗୁ ହେବ। କର୍ମଚାରୀଙ୍କ ପେନସନକୁ ନେଇ ସରକାରଙ୍କ ଘୋଷଣାକୁ କଂଗ୍ରେସ ରବିବାର ଟାର୍ଗେଟ୍ କରିଛି।
କଂଗ୍ରେସ କହିଛି ୟୁପିଏସ୍ ରେ ୟୁ ର ଅର୍ଥ ମୋଦି ସରକାରଙ୍କ ୟୁ-ଟର୍ଣ୍ଣ। ବିଜେପିର ଏହି ଯୋଜନାକୁ କଟାକ୍ଷ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ୪ ଜୁନ ପରେ ଜନତାଙ୍କ ଶକ୍ତି ଉପରେ ପ୍ରଧାନମନ୍ତ୍ରୀଙ୍କ କ୍ଷମତା ଅହଂକାର ହାବି ହୋଇଯାଇଛି। ଖଡଗେ କହିଛନ୍ତି ଯେ ଦୀର୍ଘ ଅବଧିର ପୁଞ୍ଜିଗତ ଲାଭ ସୂଚକାଙ୍କ କରଣକୁ ନେଇ ବଜେଟରେ ପାଦ ପଛକୁ ନିଆଯାଇଛି। ୱାକଫ ବିଧେୟକକୁ ଜେପିସିକୁ ପଠାଯାଇଛି, ପ୍ରସାରଣ ବିଲ ଓ ଲେଟେରାଲ ଏଣ୍ଟ୍ରିକୁ ପ୍ରତ୍ୟାହାର କରାଯାଇଛି।
ଏହି ଯୋଜନାରେ କେନ୍ଦ୍ର ସରକାରଙ୍କ ୨୩ଲକ୍ଷ କର୍ମଚାରୀ ଲାଭବାନ ହେବେ। ରାଜ୍ୟ ସରକାରଙ୍କୁ ମଧ୍ୟ ୟୁପିଏସ୍ ବାଛିବାକୁ ବିକଳ୍ପ ଦିଆଯିବ। ଯଦି ରାଜ୍ୟ ସରକାରମାନେ ୟୁପିଏସକୁ ବିକଳ୍ପ ବାଛନ୍ତି ତେବେ ହିତାଧିକାରୀଙ୍କ ସଂଖ୍ୟା ୯୦ ଲକ୍ଷରୁ ବି ଅଧିକ ହେବ। ସରକାରଙ୍କ ଅନୁସାରେ ଏରିୟର ବାବଦକୁ ୮୦୦ କୋଟି ଟଙ୍କା ଖର୍ଚ୍ଚ ଆସିବ, ପ୍ରଥମ ବର୍ଷ ବାର୍ଷିକ ଖର୍ଚ୍ଚ ପାଖାପାଖି ୬୫,୨୫୦ କୋଟି ଟଙ୍କା ହେବ।