LatestNewsPolitics

ସୁଭଦ୍ରା ଯୋଜନାକୁ ନେଇ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର (ସଂକେତ ଟିଭି): ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି । ଗାଇଡଲାଇନ ଅନୁସାରେ ଯୋଜନାରେ ସାମିଲ ହେବାକୁ ହେଲେ ହିତାଧିକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଦରକାର । ହିତାଧିକାରୀଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଅର୍ଥାତ ବୟସ ୨୧ରୁ ଅଧିକ ୬୦ ବର୍ଷରୁ କମ୍‌ ହୋଇଥିଲେ ସୁଭଦ୍ରା ଯୋଜନା ଆବେଦନ କରିପାରିବେ। ଆଧାରକାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ।

ଗାଇଡଲାଇନ୍ ଅନୁସାରେ ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ବୟସର ମାପକାଠି ଭାବେ ଗ୍ରହଣ କରାଯିବ । ସେହିପରି ହିତାଧିକାରୀଙ୍କ ବୟସ ୨୦୨୪ ଜୁଲାଇ ୧ ତାରିଖ ସୁଦ୍ଧା ୨୧ ବର୍ଷ ହୋଇଥିବା ଆବଶ୍ୟକ । ଅଫଲାଇନ୍ ଓ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । କାର୍ଯ୍ୟକାରିତାକୁ ତଦାରଖ ପାଇଁ ଗଠନ କରାଯିବ କମିଟି। ମୁଖ୍ୟ ସଚିବ କମିଟି ଅଧ୍ୟକ୍ଷ ଓ ଉନ୍ନୟନ କମିଶନର ଉପାଧ୍ୟକ୍ଷ ରହିବେ । ଜିଲ୍ଲାସ୍ତରରେ ଓ ବ୍ଲକ ସ୍ତରରେ ତଦାରଖ କମିଟି ଗଠନ କରାଯିବ । ସହରାଞ୍ଚଳସ୍ତରୀୟ ଯାଞ୍ଚ କମିଟି ମଧ୍ୟ ଗଠନ କରାଯିବ।

ସୁଭଦ୍ରା ପାଇବାକୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବା ଆବଶ୍ୟକ। ଅଫଲାଇନ୍‌ ଫର୍ମ ପୂରଣ ବା ଅନଲାଇନରେ ସୁଭଦ୍ରା ପୋର୍ଟାଲରେ ଆବେଦନ କରିପାରିବେ। ଅଙ୍ଗନଓ୍ବାଡ଼ି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ରରେ ମାଗଣାରେ ଫର୍ମ ମିଳିବ। ଆବେଦନକାରୀ ଫର୍ମ ପୂରଣ କରି ମୋ ସେବା କେନ୍ଦ୍ରରେ ଦାଖଲ କରିବେ।

ମହିଳା ମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାର ଗତ ୨୩ ତାରିଖରେ ଏହି ଯୋଜନାର ଏସଓପି ଆଣିଥିଲେ। ଏହି ଯୋଜନା ଅଧୀନରେ ୨୧ରୁ ୬୦ ବର୍ଷର ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ। ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ଏହି ଟଙ୍କା ପ୍ରଦାନ କରାଯିବ। ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଏହି ସହାୟତା ରାଶି ମିଳିବ। ଏହି ଯୋଜନାରେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।