FeaturedLatestPolitics

ବିଜେପିରେ ସାମିଲ ହେବେ ଚମ୍ପାଇ ସୋରେନ

ରାଞ୍ଚି (ସଂକେତ ଟିଭି): ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଶୁକ୍ରବାର (୩୦ ଅଗଷ୍ଟ) ରାଞ୍ଚିରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବେ। ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୂଚନା ଦେଇଛନ୍ତି।

ହିମନ୍ତ ଏକ୍ସରେ ଲେଖିଛନ୍ତି, ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଦେଶର ବିଶିଷ୍ଟ ଆଦିବାସୀ ନେତା ଚମ୍ପାଇ ସୋରେନ ଜୀ ମାନ୍ୟବର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଜୀଙ୍କୁ ସୋମବାର (୨୬ଅଗଷ୍ଟ)ରେ ଭେଟିଥିଲେ। ସେ ଅଗଷ୍ଟ ୩୦ରେ ରାଞ୍ଚିରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବେ।

ହିମନ୍ତ ବିଶ୍ୱ ଶର୍ମା ଯେଉଁ ପୋଷ୍ଟ ଶେୟାର କରିଛନ୍ତି ସେଥିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଚମ୍ପାଇ ସୋରେନଙ୍କ ମଧ୍ୟରେ ହୋଇଥିବା ଏକ ବୈଠକର ଫଟୋ ମଧ୍ୟ ରହିଛି। ଚମ୍ପାଇ ସୋରେନଙ୍କ ସମେତ ଜେଏମଏମ୍ରେ ଅନେକ ବଡ଼ ନେତା ମଧ୍ୟ ଭାଜପାରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି।

ସେପଟେ ଶାହାଙ୍କୁ ଭେଟିବା ପରେ ଚମ୍ପାଇ ସୋରେନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ଉପରେ ତାଙ୍କର ବିଶ୍ୱାସ ରହିଛି। ମୁଁ ବିଜେପିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି। ଆଉ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି।

ଚମ୍ପାଇ କହିଛନ୍ତି , ମୁଁ ଅବସର ନେବାକୁ ଚିନ୍ତା କରୁଥିଲି, କିନ୍ତୁ ଜନସାଧାରଣଙ୍କ ଚାହିଦା ହେତୁ ମୁଁ ରାଜନୀତିରେ ଅଛି। ନିଜର ସଂଗଠନ ତିଆରି ପାଇଁ ସମୟ ଲାଗିଥାଏ। ମୁଁ ମୋର ମତ ପୂର୍ବରୁ ପ୍ରକାଶ କରିଥିଲି।