FeaturedLatestNews

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ପ୍ରବଳ ବର୍ଷା ପବନ ନେଇ ଜାରି ହେଲା ସତର୍କ ସୂଚନା

ଭୁବନେଶ୍ୱର (ସଂକେତ ଟିଭି): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଦକ୍ଷିଣ ଓଡିଶା ଉତ୍ତର ଆନ୍ଧ୍ର ପ୍ରଦେଶ ଦେଇ ଲଘୁଚାପ କ୍ଷେତ୍ରଟି ସ୍ଥଳଭାଗ ମୁହାଁ ହେବ। ଯାହାର ପ୍ରଭାବରେ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିର୍ଦ୍ଧୁମ ବର୍ଷା ହେବା ସମ୍ଭାବନା ରହିଛି।

ସେପଟେ ଲଘୁଚାପ ପ୍ରଭାବରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ବର୍ଷା ସମୟରେ ତଳି ଅଞ୍ଚଳ ରେ ଜଳବନ୍ଦୀ ସମସ୍ୟା, ପାହାଡି ଅଞ୍ଚଳରେ ଭୂସ୍ଖଳନ, ସହରାଞ୍ଚଳରେ କୂତ୍ରିମ ବନ୍ୟା, କଚ୍ଚା ରାସ୍ତା ଘର ଭାଙ୍ଗିବା ନେଇ ପାଣିପାଗ କେନ୍ଦ୍ର ସତର୍କ କରିଛି ।

କାଲି ମଧ୍ୟ ଭୀଷଣ ବର୍ଷା ନେଇ ଗଜପତି, ମାଲକାନଗିରି ଏବଂ କୋରାପୁଟକୁ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି । ଏଥି ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଞ୍ଜାମ, କଳାହାଣ୍ଡି, ରାୟଗଡା ଏବଂ ନବରଙ୍ଗପୁରକୁ ଆସନ୍ତାକାଲି ପାଇଁ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଅନ୍ୟପଟେ ଲଘୁଚାପ ପ୍ରଭାବ ଯୋଗୁଁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡିଶାରେ ବର୍ଷା ଲାଗିରହିବ। ବର୍ଷା ସମୟରେ ଘଣ୍ଟାପ୍ରତି ୩୫ ରୁ ୪୫ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ଘଣ୍ଟାପ୍ରତି ୫୫ କିମି ହୋଇପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ଯେଉଁଥି ପାଇଁ ୩୦ ଓ ୩୧ରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି।