ବିଶ୍ୱବିଦ୍ୟାଳୟରେ ପୁଣି ସିନେଟ୍ ବ୍ୟବସ୍ଥା ରହିବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ୨୦୨୦ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ରେ ପୁଣି ସଂଶୋଧନ ହେବ । ଆଜି ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏନେଇ ସୂଚନା ଦେଇଛନ୍ତି। ଗୃହରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏକଥା କହିଛନ୍ତି।
ସେ କହିଛନ୍ତି, ବିଶ୍ୱବିଦ୍ୟାଳୟ ନିୟମରେ ପୁରୁଣା ଢାଞ୍ଚାକୁ ଆପଣାଯିବ। ପୁଣି ବିଶ୍ୱବିଦ୍ୟାଳୟରେ ସିନେଟ୍ ବ୍ୟବସ୍ଥା ରହିବ। ବିଶ୍ୱବିଦ୍ୟାଳୟ ସ୍ୱତନ୍ତ୍ରତା ବଜାୟ ରହିବ। ସବୁଠାରୁ ବଡ଼ କଥା ହେଲା ଯେ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିଯୁକ୍ତି କ୍ଷମତା ଦିଆଯିବ। ଏନେଇ ସରକାରୀ ସ୍ତରରେ ବିଚାରବିମର୍ଶ ଚାଲିଛି।
୨୦୨୦ରେ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଜରିଆରେ ଏହା ଭଙ୍ଗା ଯାଇଥିଲା । ସିନେଟ୍ରେ ୧୦୦ ଜଣ ସଦସ୍ୟ ରହୁଥିଲେ। ସେମାନେ ବିଶ୍ୱବିଦ୍ୟାଳୟକୁ ପରାମର୍ଶ ଦେଉଥିଲେ। ଯାହା ସିଣ୍ଡିକେଟ୍ କାର୍ଯ୍ୟକାରୀ କରୁଥିଲା। ୧୦୦ ଜଣ ସଦସ୍ୟଙ୍କ ମଧ୍ୟରୁ ୩୬ ପଦପଦବୀ, କୃଷି-ଦକ୍ଷତା ବିକାଶ-ଉଚ୍ଚଶିକ୍ଷା ବିଭାଗର ତିନି ନିର୍ଦ୍ଦେଶକ, ଆଡ଼ଭୋକେଟ ଜେନେରାଲ ବା ତାଙ୍କ ପ୍ରତିନିଧି, ୬୦ ଅବସରପ୍ରାପ୍ତ ଶିକ୍ଷାବିତ, ୩ ବିଧାୟକ, ୪ ଛାତ୍ର ନେତା, ସମ୍ପୃକ୍ତ ବିଶ୍ଵବିଦ୍ୟାଳୟର ୧୩ ଗ୍ରାଜୁଏଟ ସିନେଟର ସଦସ୍ୟ ରହୁଥିଲେ।