ରାଜ୍ୟରେ କାର୍ଯ୍ୟକାରୀ ହେଲା ପିଏମ୍ ଉଷା ଯୋଜନା
ଭୁବନେଶ୍ବର (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ‘ପିଏମ୍- ଉଷା’ର ଓଡିଶାରେ ଶୁଭାରମ୍ଭ ହୋଇଛି। କୃଷି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି। ପିଏମ୍-ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଆଜି କୃଷିଭବନରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ। ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ସୁନୀଲ ବର୍ଣ୍ଣୱାଲଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।
ଏହି ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ମାଝି କହିଛନ୍ତି, ଏଣିକ ୟୁଜିସି ଢାଞ୍ଚାରେ ରାଜ୍ୟରେ ଉଚ୍ଚଶିକ୍ଷା ନିୟନ୍ତ୍ରଣ କରାଯିବ। ୨୦୨୩୬ ବେଳକୁ ଓଡ଼ିଶା ଯେତେବେଳେ ରାଜ୍ୟ ଗଠନର ୧୦୦ତମ ବର୍ଷକୁ ପାଳନ କରିବ ସେତେବେଳକୁ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଉତ୍କର୍ଷ ଲାଭ କରିଥିବ ବୋଲି ଆଶା ପ୍ରକାଶ କରିଛନ୍ତି।
ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅନେକ ସମୟରେ ଏଠାରେ ଉଚ୍ଚଶିକ୍ଷା ଲାଭ କରିଥିବା ଆମର ଟେକ୍ନୋଲୋଜି ଗ୍ରାଜୁଏଟମାନେ ଶିଳ୍ପ କ୍ଷେତ୍ରର ଆବଶ୍ୟକତାକୁ ପୂରଣ କରିପାରୁ ନାହାନ୍ତି। ଏଣୁ ବିଭିନ୍ନ ସମୟରେ ନିଯୁକ୍ତି ପାଇପାରୁ ନାହାନ୍ତି। ପିଏମ୍ ଉଷା ତାହାକୁ ଦୂର କରିବ ବୋଲି ସେ କହିଛନ୍ତି। ଏହାକୁ ଡବଲ ଇଞ୍ଜିନ୍ ସରକାରର ଫାଇଦା ବୋଲି କହିଛନ୍ତି ଶ୍ରୀ ମାଝି। ଶାସନର ୮୧ତମ ଦିନରେ ଆଜି ସମସ୍ତ ବାଧା ବାଘ୍ନକୁ ବାଦ ଦେଇ ସରକାର ଏହି ଯୋଜନାକୁ ରାଜ୍ୟରେ ଲାଗୁ କରିଛନ୍ତି। ଏଣୁ ଆଗକୁ ରାଜନୀତିକରଣରୁ ମୁକ୍ତ ହୋଇ ରାଜ୍ୟ ସରକାର କେନ୍ଦ୍ରର ପ୍ରତିଟି ଯୋଜନାକୁ ରାଜ୍ୟରେ ଲାଗୁ କରିବେ ବୋଲି କହିଛନ୍ତି ଶ୍ରୀ ମାଝି।
ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନୂଆ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ସମୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ ଦିଗରେ ପିଏମ-ଉଷା କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । କେନ୍ଦ୍ର ଓ ରାଜ୍ୟର ପାଣ୍ଠି ସହାୟତାରେ, ଗୁଣାତ୍ମକ ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାର ବିକାଶ, ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକର ସ୍ୱୀକୃତି ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରିବା ସହ ବହୁବିଭାଗୀୟ ପାଠ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ବୃଦ୍ଧି କରିବା ଏହି ପଦକ୍ଷେପର ଲକ୍ଷ୍ୟ ରହିଛି । ଓଡ଼ିଶାର ପୁଞ୍ଜି ହେଲା ବୌଦ୍ଧିକ କ୍ଷମତା ଏବଂ ମାନବ ସମ୍ବଳ । ଓଡ଼ିଶା ଜନସଂଖ୍ୟାର ଏକ ଚତୁର୍ଥାଂଶ ହେଉଛନ୍ତି ଛାତ୍ରଶକ୍ତି । ବୌଦ୍ଧିକ ଶକ୍ତିର ଅଧିକାରୀ ହେବା ଓଡ଼ିଆ ପିଲାଙ୍କ ଡିଏନଏରେ ଅଛି । ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତିର ମହାନ ଅବସର ଦେଉଥିବା ବେଳେ ଏହି ସମୟରେ ଓଡ଼ିଶାର ଏହି ୧ କୋଟି ଛାତ୍ରଶକ୍ତିଙ୍କୁ ବୈଶ୍ୱିକ ଦକ୍ଷତା ସହ ଯୋଡିବା ପାଇଁ ହେବ । ରାଜ୍ୟରେ ଶିକ୍ଷା ଭିତ୍ତିଭୂମିକୁ ମଜଭୂତ୍ କରିବା ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗୀ ହେବେ । ଏକବିଂଶ ଶତାବ୍ଦୀରେ ଓଡ଼ିଶା ଯେପରି ବୈଶ୍ୱିକ ସ୍ତରରେ ନେତୃତ୍ୱ ନେବ, ଏହା ଆମର ସଂକଳ୍ପ।