ସେପ୍ଟେମ୍ବର ପହିଲାରୁ ଲାଗୁ ହେବ ନୂଆ ଅବକାରୀ ନୀତି
ଭୁବନେଶ୍ୱର (ସଂକେତ ଟିଭି): ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ନୂଆ ଅବକାରୀ ନୀତି ପ୍ରଣୟନ କରିଛନ୍ତି । ନୂଆ ଅବକାରୀ ନୀତି ଅନୁସାରେ ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବ ନାହିଁ । କେବଳ ଥ୍ରୀ ଷ୍ଟାର୍ ହୋଟେଲ୍କୁ ନୂଆ ବାର୍ ଲାଇସେନ୍ସ ମିଳିବ। ଭାଙ୍ଗ, ତାଡ଼ି, ପୋଚ ପାଇଁ ବି ନିୟମ ଲାଗୁ ହେବ। ଏଥି ସହିତ ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇନଥିବା ୫୭ ଗୋଟି ଅନ୍ ସପ୍ର ପୁନଃ ନବୀକରଣ କରାଯିବନାହିଁ।
ସେହିପରି ନୂଆ ଅବକାରୀ ନୀତିରେ ଡ୍ୟାନ୍ସ ବାର୍ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। କୌଣସି ପରିସ୍ଥିତିରେ ବାର୍ରେ ନୃତ୍ୟ ପରିବେଷଣ ଅନୁମତି ମିଳିବ ନାହିଁ। ବାର୍ ଗୁଡ଼ିକ ଅନୁମତି ନେଇ କେବଳ ସଂଗୀତ ପରିବେଷଣ କରିପାରିବେ, କିନ୍ତୁ ଡ୍ୟାନ୍ସ ନୁହେଁ। ବିଚ୍ରେ ମଦ ଶ୍ୟାକ୍ସ ବା କ୍ୟାବିନ୍ ଖୋଲିବାର ଅନୁମତି ପର୍ଯ୍ୟଟନ ବିଭାଗ ଦେବ । ବିଚ୍ ଶ୍ୟାକ୍ସର ବାର୍ଷିକ ଲାଇସେନ୍ସ ଦର ହେବ ୫୦ ହଜାର ଟଙ୍କା ରହିବ । ଯାହା ଓଟିଡିସି ପାଖରେ ପୈଠ କରାଯିବ। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ନୀତି ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ଅନ୍ୟପଟେ ନିଶା ସେବନ ବିରୁଦ୍ଧରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛନ୍ତି। ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ାଉ ଜୋରଦାର କରିବା ପାଇଁ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି, କର୍ମଚାରୀଙ୍କୁ ତାଲିମ ଏବଂ ଅଧିକ ଯାନ ଯୋଗାଇବା ପାଇଁ ନୂଆ ଅବକାରୀ ନୀତିରେ ବ୍ୟବସ୍ଥା ରହିଛି।