FeaturedLatestNews

୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ରାୟଗଡ଼ା (ସଂକେତ ଟିଭି): ୫ହଜାର ଟଙ୍କା ଲାଞ୍ଚ ଟଙ୍କା ନେବା ବେଳେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତେବେ ରେଡ୍ ବେଳେ ସେ ଅସୁସ୍ଥ ହୋଇପଡିବାରୁ ରବିବାର ରାୟଗଡ଼ା ସହରର ଫରେଷ୍ଟ କଲୋନୀ ଲେନରେ ଥିବା ତାଙ୍କ ଘରେ ପୁଣି ଭିଜିଲାନ୍ସ ଟିମ୍ ରେଡ୍ କରିଥିଲା । ତେବେ ମିଳିଥିବା ଖବର ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଜେଇଙ୍କ ଘରୁ ନଗଦ ୧୪ ଲକ୍ଷ ୮୦ ହଜାର ଟଙ୍କା, ପ୍ରାୟ ୩୫ ଗ୍ରାମର ସୁନା ଅଳଙ୍କାର ମିଳିଛି । ସେହିଭଳି ରାୟଗଡ଼ା ଓ ଟିକିରି ଠାରେ ଗୋଟିଏ ଲେଖାଏଁ ଘର, ଦୁଇଟି ପ୍ଲଟ୍ ଠାବ ହୋଇଛି ।

ଶୀପୁର ବ୍ଲକ ମାଣ୍ଡିବିଶି ଗାଁ ନିକଟରେ ମନେରେଗା ଯୋଜନାର ଏକ ରାସ୍ତା କାମର ବିଲ ବାବଦକୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ଚୌଧୁରୀ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ମାଗିବା ବିଷୟକୁ ନେଇ ଗ୍ରାମସାଥୀ କ୍ଷେତ୍ର ମାଝି ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିବା ପରେ ବିଭାଗ ପକ୍ଷରୁ କନିଷ୍ଠ ଯନ୍ତ୍ରୀଙ୍କୁ ରେଡ ହ୍ୟାଣ୍ଡ ଧରିବାକୁ ଯୋଜନା କରି ଦୁଇ ଦିନ ଧରି ରାୟଗଡା ଠାରେ ଛପିଥିଲେ। ଜୟପୁର ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ଏକ ୧୫ଜଣିଆ ଟିମ ଚଢ଼ଉରେ ସାମିଲ ହୋଇ କନିଷ୍ଠ ଯନ୍ତ୍ରୀଙ୍କୁ ଧରିବାକୁ ଜଗିଥିବା ବେଳେ କନିଷ୍ଠ ଯନ୍ତ୍ରୀ ଜିଲ୍ଳା ପରିଷଦ କାର୍ଯ୍ୟାଳୟ ଠାରେ ଉନ୍ନୟନ କାର୍ଯ୍ୟ ବୈଠକରେ ଯୋଗଦେଇ ସଂଧ୍ୟାରେ ବାସଗୃହକୁ ଫେରିବା ପରେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲେ। ଭିଜିଲାନ୍ସ ହାତରେ ଧରା ପଡ଼ିବା ‌ପରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ଚୌଧୁରୀ ନିଜ ଦେହ ଅସୁସ୍ଥ ଥିବା ବାହାନା କରିବାରୁ ତାଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ଚୌଧୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ଥିବା ଜଣାପଡିଛି ।