LatestNews

ପଶ୍ଚିମ ଓଡିଶାରେ ହେବ ନାହିଁ ହାଇକୋର୍ଟ ବେଞ୍ଚ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଲିଖିତ ଉତ୍ତର ଜଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଓଡିଶାର କୌଣସି ସ୍ଥାନରେ ବେଞ୍ଚ ପ୍ରତିଷ୍ଠା ହେବାର କୌଣସି ଯଥାର୍ଥତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଲିଖିତ ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି ।

ଏହାକୁ ନେଇ ରାଜନୀତି ସରଗରମ୍ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଉତ୍ତରକୁ ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ବଳବତ୍ତର ରହିଛି। ଲୋକସଂଖ୍ଯା ବଢୁଛି। କେସ୍‌ ବି ବଢୁଛି। ଉତ୍ତରପ୍ରଦେଶରେ ୩ଟି ବେଞ୍ଚ ଥିବାବେଳେ ଓଡ଼ିଶାରେ କାହିଁକି ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବନି ବୋଲି ସେ ପ୍ରଶ୍ନ କରିଛନ୍ତି। ଜୟନାରାୟଣଙ୍କ ଏହି ମନ୍ତବ୍ୟକୁ ନେଇ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହଦେଓ କହିଛନ୍ତି। ଯେଉଁଠି ମୁଖ୍ୟମନ୍ତ୍ରୀ ମନା କରୁଛନ୍ତି ସେଠି ତାଙ୍କ ବିଧାୟକଙ୍କ କଥାରେ କଣ ଅଛି। ବଲାଙ୍ଗୀରରେ ସ୍ଵତନ୍ତ୍ର ହାଇକୋର୍ଟ ବେଞ୍ଚ ଦାବି ଦିର୍ଘ ଦିନରୁ ରହି ଆସିଛି। ପଶ୍ଚିମ ଓଡ଼ିଶା ସହିତ ବିଶ୍ୱାସ ଘାତକତା ହୋଇଛି। ସରକାର ସହମତ ହେଲେ ବେଞ୍ଚ୍ ସ୍ଥାପନାରେ କୌଣସି ବାଧା ନାହିଁ। ୟୁପିରେ ତିନିଟି ଅଛି। ସ୍ଵତନ୍ତ୍ର ଭାବେ ପଶ୍ଚିମ ଓଡ଼ିଶାର ବଲାଙ୍ଗିରରେ କରନ୍ତୁ ମୁଖ୍ୟମନ୍ତ୍ରୀ। ଦଳ ଗୋଟେ ସରକାର ବିଜେପିର। ମୁଖ୍ୟମନ୍ତ୍ରୀ ଯଦି ମନା କରୁଛନ୍ତି, ବିଜେପି ନେତାଙ୍କ ଦାବି କରିବାର ମୂଲ୍ୟ କଣ ବୋଲି କଳିକେଶ ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ ରାଜ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପ୍ରସଙ୍ଗରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହି ବାବଦରେ ଆଉ ଟିକେ ସ୍ପଷ୍ଟତା ଆସୁ। ମୁଖ୍ୟମନ୍ତ୍ରୀ ଯେତେବେଳେ କହିସାରିଛନ୍ତି ସେ ବାବଦରେ ସରକାର ଯାହା ନିଷ୍ପତ୍ତି ନେବେ ସବୁ ଭାବିଚିନ୍ତି ନିଷ୍ପତ୍ତି ନେବେ। ଏଇଟା ଏକ ଛୋଟ ଘଟଣା ନୁହେଁ। ଲମ୍ବା ସମୟ ଧରି ଏ ପ୍ରସଙ୍ଗରେ ବିଭିନ୍ନ ଅଞ୍ଚଳରେ ଦାବି ରହିଛି। ତାକୁ ବିଚାର ବିମର୍ଶ କରି ସରକାର ସଠିକ ନିଷ୍ପତ୍ତି ନେବେ। ଆମେ ବିରୋଧୀ ଦଳରେ ଥିବାବେଳେ ସେ କଥା ଦେଖୁଥିଲୁ । ଏବେ ବି ଦେଖୁଛୁ। ତେଣୁ ଏ ବାବଦରେ ସରକାର ଭାବିଚିନ୍ତି ନିଷ୍ପତ୍ତି ନେବେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓ । ସେ କହିଛନ୍ତି, ‘ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ଦୀର୍ଘବର୍ଷ ହେବ ହୋଇ ଆସୁଛି। ବଲାଙ୍ଗୀରରେ ସ୍ଵତନ୍ତ୍ର ହାଇକୋର୍ଟ ବେଞ୍ଚ ଦାବି ଦୀର୍ଘ ଦିନରୁ ରହି ଆସିଛି । ସରକାରଙ୍କ ମତ ହେଲେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାରେ କୌଣସି ବାଧା ନାହିଁ । ୟୁପିରେ ତିନିଟି ହାଇକୋର୍ଟ ବେଞ୍ଚ ରହିଛି । ସ୍ଵତନ୍ତ୍ର ଭାବେ ପଶ୍ଚିମ ଓଡ଼ିଶାର ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପାଇଁ ପଦକ୍ଷେପ ନିଅନ୍ତୁ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଯଦି ମନା କରୁଛନ୍ତି ବିଜେପି ନେତାଙ୍କ ଦାବି କରିବାର ମୂଲ୍ୟ କଣ ? ପଶ୍ଚିମ ଓଡ଼ିଶା ସହିତ ବିଶ୍ବାସଘାତ ହୋଇଛି ।’

ସେପଟେ କଂଗ୍ରେସ ମଧ୍ୟ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି । କଂଗ୍ରେସ ବିଧାୟକ ସିଏସ ରାଜେନ ଏକା କହିଛନ୍ତି, ‘ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପାଇଁ ଦାବି ହୋଇ ଆସୁଛି । ଲୋକଙ୍କୁ 400ରୁ ଅଧିକ କିଲୋମିଟର କଟକ ଆସିବାକୁ ପଡୁଛି । ପଶ୍ଚିମ ଓଡ଼ିଶା ପାଇଁ ଏହା ଅନ୍ୟାୟ । ଗରିବ ଆଦିବାସୀ ଏତେ ଟଙ୍କା ଖର୍ଚ୍ଚ କରି କାହିଁକି କଟକ ଆସିବେ ? ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ ହେଲେ ଆଦିବାସୀଙ୍କ ସେଣ୍ଟିମେଣ୍ଟ ନାହିଁ । ମୋହନ ମାଝୀ ଯଦି ଏହା କହିଛନ୍ତି, ଏହା ଦୁଃଖ କଥା।’

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ପାଇଁ ପଶ୍ଚିମ ଓଡ଼ିଶାବାସୀ ଦୀର୍ଘ ଦିନ ହେଲା ଦାବି କରିଆସୁଛନ୍ତି । ଏଥିପାଇଁ ଓକିଲ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ମଧ୍ୟ କରିଥିଲେ । ଦୀର୍ଘ ଦିନ ଧରି କୋର୍ଟ କଚେରୀ ବନ୍ଦ କରିଥିଲେ । ଏପରିକି ଆନ୍ଦୋଳନ ସମୟରେ ଜଜଙ୍କ ଚ୍ୟାମ୍ବରରେ ପଶି କିଛି ଓକିଲ ଭଙ୍ଗାରୁଜା କରିଥିଲେ । ଏହାକୁ ନେଇ ବହୁ ଓକିଲ ଗିରଫ ହୋଇଥିଲେ । ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିଲା ଏହାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ।