FeaturedLatestNews

ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢାଉ, ମିଳିଲା ବଡ ବଡ କୋଠା

ତାଳଚେର (ସଂକେତ ଟିଭି): ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ କରାଯାଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ ଏହି ଚଢ଼ାଉ ଜାରି ରଖିଛି। ଚଢାଉରେ ୧୦ ଡିଏସପି ଓ ୧୬ ଇନସ୍ପେକ୍ଟରଙ୍କ ସହ ୭ ଏସଆଇ ଅଛନ୍ତି । ଧରଣୀଧରଙ୍କ ତାଳଚେର ଅଫିସ ଓ ସରକାରୀ ବାସଭବନ, ସମେତ ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର, ଭୁବନେଶ୍ବର ଘର, ସିଂକୁଳବାହାଲରେ ଥିବା ମାର୍କେଟ କଂପ୍ଲେକ୍ସ ଓ କେନ୍ଦୁଝର ପଣ୍ଡାପଡ଼ା ଥାନା ପୁରମୁଣ୍ଡାରେ ଥିବା ଶ୍ବଶୂର ଘରରେ ଏକକାଳୀନ ରେଡ୍ ଚାଲିଛି ।

ଚଢାଉ ବେଳେ ଖଣି ଅଫିସରଙ୍କ ଘରୁ ଟଙ୍କାର ଗନ୍ତା ଘର ମିଳିଛି। ଏବେ ସୁଦ୍ଧା ଭୁବନେଶ୍ବର ସୁରେଖା ଅର୍ଚିଡ ଆପାର୍ଟମେଣ୍ଟ ଘରୁ ପୁଳା ପୁଳା ଟଙ୍କା ଦାମୀ ଘଣ୍ଟା, ସୁନା ଅଳଙ୍କାର ରୁପା ସାମଗ୍ରୀ ଜବତ ହୋଇଛି। ଏହି ଘରେ ଧରଣୀଧର ରହୁଥିବା ବେଳେ ଏହି ଘରର ମୂଲ୍ୟ ପାଖାପାଖି ୧ କୋଟି ୫୦ ଲକ୍ଷ ଟଙ୍କା ହେବ।

ସେହିଭଳି ସୁନ୍ଦରପଦାରେ ଦୁଇମହଲା କୋଠା ରହିଛି,ଯାହାର ମୂଲ୍ୟ ୫୫ ଲକ୍ଷ ଟଙ୍କା। କେନ୍ଦୁଝର ତେଲକୋଇରେରେ ୩ ଟି ମାର୍କେଟ କମ୍ପ୍ଲେକ୍ସ ୨ଟି ଦୁଇମହଲା ବିଶିଷ୍ଟ ଓ ଗୋଟିଏ ଏକ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ଭିଜିଲାନ୍ସ ବିଭାଗ ଠାବ କରିଛି । କେନ୍ଦୁଝର, ଅନୁଗୋଳ, ଭୁବନେଶ୍ବର, କଟକରେ ଏକାଧିକ ପ୍ଲଟ ମଧ୍ୟ ରହିଥିବା ଜଣା ପଡ଼ିଛି। ତାଙ୍କର ବ୍ୟାଙ୍କ ଜମା ୧୦ ଲକ୍ଷ ଟଙ୍କା ଥିବା ବେଳେ ୧୬ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ ରହିଛି ।

୨୦ ବର୍ଷରେ ଶୁଝିବା ପାଇଁ ଆଣିଥିବା ୧ କୋଟି ୧୩ ଲକ୍ଷ ଟଙ୍କାର ଋଣକୁ ମାତ୍ର ୨ ବର୍ଷରେ ଶୁଝି ଦେଇ ଭିଜିଲାନ୍ସ ଆଖି ଆଗକୁ ଆସିଛନ୍ତି।