ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ହିତାଧିକାରୀଙ୍କୁ ସେପ୍ଟେମ୍ବର ସୁଦ୍ଧା ନୂଆ ରାସନ କାର୍ଡ ଦିଆଯିବ। ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।
ବିଧାନସଭାରେ ଆଜି ମନ୍ତ୍ରୀ କହିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଜେପି ସରକାର କ୍ଷମତାକୁ ଆସିବା ପରେ ଭୂତ ହିତାଧିକାରୀଙ୍କୁ ନେଇ ଆଲୋଚନା ଜୋର ଧରିଥିଲା । ଭୂତ ହିତାଧିକାରୀ ମାଳ ମାଳ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅନେକ ଥର କହିଥିଲେ। ତେବେ ଏନେଇ ବିଭାଗ ପକ୍ଷରୁ ଅନୁଧ୍ୟାନ ଚାଲିଛି । ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଚାଲିଛି। ଏଥି ସହିତ ନୂଆ କାର୍ଡ ପାଇଁ ଆବେଦନ ମଧ୍ୟ ଜାରି ରହିଛି। ଏହି ପ୍ରକ୍ରିୟା ଶେଷ ହେବାପରେ ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ।
ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ୯୨.୬୬ଲକ୍ଷ ପରିବାରର ୩ କୋଟି ୨୫ଲକ୍ଷ ୯୩ହଜାର ୮୭୫ଜଣ ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩.୧୫ଲକ୍ଷ ପରିବାରର ୧୦.୦୨ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି । ଏବେ ଏହି ଦୁଇଟି ଯୋଜନାରେ ସାମିଲ ହେବା ପାଇଁ ଆହୁରି ୯ ଲକ୍ଷ ଆବେଦନ ହୋଇଛି। ନୂଆ ହିତାଧିକାରୀ ଚୟନ ପାଇଁ ସରକାର ୧୨ଟି ମାନଦଣ୍ଡ ଓ ଅଯୋଗ୍ୟଙ୍କୁ ବାଦ୍ ଦେବା ପାଇଁ ୧୦ଟି ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି । ଜିଲ୍ଲାସ୍ତରରେ ବିଭାଗୀୟ କର୍ମଚାରୀମାନଙ୍କ ଦ୍ୱାରା ଏହାର ଉପଯୁକ୍ତ ତଦନ୍ତ କରାଯାଇ ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ ଏଥିରେ ସାମିଲ କରାଯାଉଛି।