ସୁଜିତ କୁମାରଙ୍କୁ ବହିଷ୍କାର କଲେ ନବୀନ, ସଙ୍ଗେ ସଙ୍ଗେ ମିଶିଲେ ବିଜେପିରେ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସଭା ସାଂସଦ ସୁଜିତ କୁମାର ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାମ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବହିଷ୍କାର କରିଛନ୍ତି। ସେ ୨୦୨୦ରେ ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ । ତେବେ ବିଜେଡି ତାଙ୍କୁ ଦଳ ବିରୋଧୀ କାମ ପାଇଁ ଆଜି ବହିଷ୍କାର କରିବା ପରେ ସେ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ସୁଜିତ କୁମାର ତାଙ୍କ ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ପଠାଇ ଦେଇଛନ୍ତି।ଏପଟେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୁଜିତ କୁମାରଙ୍କ ରାଜ୍ୟସଭାରୁ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି ।
ତେବେ ସୁଜିତ କୁମାର ପ୍ରଥମେ ରାଜ୍ୟସଭାରୁ ଇସ୍ତଫା ଦେବାର ମାତ୍ର ଘଣ୍ଟାଏ ପରେ ବିଜେପିରେ ମିଶିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତୃହରି ମହତାବଙ୍କ ଉପସ୍ଥିତିରେ ନୂଆଦିଲ୍ଲୀ ସ୍ଥିତ ବିଜେପି ପାର୍ଟି ମୁଖ୍ୟାଳୟରେ ପଦ୍ମ ପୋଖରୀରେ କୁଦା ମାରିଛନ୍ତି ସୁଜିତ କୁମାର । ସୁଜିତ ଗେରୁଆ ଶିବିରରେ ସାମିଲ ହେବା ସମୟରେ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ ଥିଲେ ।
ବିଜେପିରେ ମିଶିବା ପରେ ସୁଜିତ୍ କୁମାର ବିସ୍ଫୋରକ ବୟାନ ଦେଇଛନ୍ତି। ସୁଜିତ୍ କହିଛନ୍ତି, ମୋତେ ଦୁଇ ନେତାଙ୍କ ଗୋଲାମୀ ପାଇଁ ବାଧ୍ୟ କରାଯାଉଥିଲା। ପ୍ରାୟ ଦେଢ଼ବର୍ଷ ହେଲା ଦଳରେ ମୋତେ ଅଣଦେଖା କରାଯାଉଥିଲା। କୌଣସି ଦଳୀୟ କାର୍ଯ୍ୟରେ ମୋତେ ସାମିଲ କରାଯାଉ ନ ଥିଲା। ଏପରିକି ସଂପୃକ୍ତ ନେତାଙ୍କୁ ମୁଣ୍ଡିଆ ମାରିବାକୁ କିଛି ନେତା ମୋତେ କହୁଥିଲେ। ସେମାନଙ୍କ ଚାମଚାଗିରି କରିବାକୁ କହୁଥିଲେ। ମୁଁ ବିଦେଶରେ ପଢ଼ି ଆସିଛି, ଏହା ମୋ ସ୍ବାଭିମାନକୁ ବାଧିଥିଲା। ଯେଉଁଥିପାଇଁ ମୁଁ ଦଳ ଛାଡ଼ିଛି। ନିର୍ବାଚନ ପୂର୍ବରୁ ମୋତେ ଧମକ ଦିଆଯାଇଥିଲା। ରାଜ୍ୟ ସଭାରୁ କାଢ଼ି ଦିଆଯିବ ବୋଲି ବି ଧମକ ଦେଇଥିଲେ। ମୋ’ ରାଜନୈତିକ କ୍ୟାରିୟର ଶେଷ କରିଦିଆଯିବ କହିଥିଲେ। କଳାହାଣ୍ଡି ଆସି ଜଣେ ରାଜ୍ୟସ୍ତରୀୟ ନେତା ଏକଥା କହିଥିଲେ ବୋଲି ସୁଜିତ୍ କହିଛନ୍ତି।
ସୁଜିତ କୁମାର ବିଜେପିରେ ସାମିଲ ହେବା ପରେ, ସୋସିଆଲ ମିଡିଆ ‘ଏକ୍ସ’ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖଛନ୍ତି କି, “ଓଡ଼ିଶାର ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ଦଳରେ ସ୍ୱାଗତ କଲି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ଦଳରେ ଯୋଗଦେଇଥିବାରୁ ଧନ୍ୟବାଦ । ଓଡ଼ିଶାବାସୀ ବିଶେଷ ଭାବରେ କଳାହାଣ୍ଡିର ବିକାଶ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଗରିବ କଲ୍ୟାଣ ସହିତ ‘ବିକଶିତ ଓଡ଼ିଶା’ ଗଠନରେ ସେ ଯୋଗଦାନ ରଖିବେ ବୋଲି ମୋର ଦୃଢ଼ ବିଶ୍ୱାସ ।”