BusinessLatestNews

ଆଦାନୀ ଗୃପ ହାତକୁ ଗଲା ଗୋପାଳପୁର ବନ୍ଦର

ଭୁବନେଶ୍ବର (ସଂକେତ ଟିଭି): ଅଦାନୀ ହାତକୁ ଗଲା ଗୋପାଳପୁର ବନ୍ଦର। ଆଜି ରାଜ୍ୟ କ୍ୟାବିନେଟ୍‌ରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପ୍ରସ୍ତାବ ସମେତ ୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ନିଷ୍ପତ୍ତି ଅନୁଯାୟୀ, ଗୋପାଳପୁର ବନ୍ଦରର ୯୫% ଅଂଶଧନ ଆଦାନୀ ଗ୍ରୁପ୍‌ ପାଖକୁ ଯାଇଛି। ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ ହାତରେ ଆଉ ବାକି ୫% ଅଂଶଧନ ରହିବ। ଏହି ଚୁକ୍ତିନାମାକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ଦେଇଛନ୍ତି। ଆଦାନୀ ଗ୍ରୁପ୍‌ ପାଖକୁ ଏହି ଅଂଶଧନ ଯିବା ଦ୍ୱାରା ଗୋପାଳପୁର ବନ୍ଦର ଉନ୍ନତି କରଣ କରାଯାଇପାରିବ। ଫଳରେ ରାଜ୍ୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ବଢ଼ିବ।

ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା କହିଛନ୍ତି,” ଗୋପାଳପୁର ପୋର୍ଟ ଲିମିଟେଡରେ ଓଡିଶା ଷ୍ଟିଭେଡୋରସ ଲିମିଟେଡ, ନୋବଲେ ଗ୍ରୁପ ଲିମିଟେଡ ଓ ସାରା ଇନ୍ଟରନ୍ୟାଶନାଲର ଯଥାକ୍ରମେ ୩୪, ୩୩ ଓ ୩୩ ପ୍ରତିଶତ ଅଂଶଧନ ଥିଲା । ୨୦୧୦ ଓ ୨୦୧୭ ଏହି ବନ୍ଦରର ଅଂଶଧନ ପରିବର୍ତ୍ତନ ହୋଇଛି । ଗୋପାଳପୁର ବନ୍ଦର ବର୍ତ୍ତମାନ ୧୧.୪୩ ମିଲିୟନ ମେଟ୍ରିକ ଟନ ପଣ୍ୟ ପରିବହନ କରୁଛି । ମୋଟ ଆୟରୁ ୭.୫ ପ୍ରତିଶତ ସରକାରଙ୍କୁ ରାଜସ୍ଵ ଭାବେ ମିଳୁଛି । ଗତ ଆର୍ଥିକ ବର୍ଷରେ ଗୋପାଳପୁର ବନ୍ଦର ରାଜ୍ୟ ସରକାରଙ୍କୁ ରାଜସ୍ଵ ପ୍ରାୟ ୩୮ କୋଟି ଟଙ୍କା ପ୍ରଦାନ କରିଛି । “

ସେ କହିଛନ୍ତି, ‘‘ଓଡ଼ିଶା ଅବସରପ୍ରାପ୍ତ ଅଗ୍ନିବୀର ନିଯୁକ୍ତ ନିୟମାବଳୀ-୨୦୨୪ର ପ୍ରଣୟନ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ପ୍ରତ୍ୟକ୍ଷ ନିଯୁକ୍ତି ଦ୍ଵାରା ପୂରଣ ହେଉଥିବା ରାଜ୍ୟର ୟୁନିଫର୍ମ ସେବାରେ ଅବସର ପ୍ରାପ୍ତ ଅଗ୍ନିବୀରଙ୍କୁ ଯଥେଷ୍ଟ ନିଯୁକ୍ତି ସୁଯୋଗ ଦେବା ନିମନ୍ତେ ରାଜ୍ୟ ସରକାର ନିୟମାବଳୀରେ ପରିବର୍ତ୍ତନ କରିଛନ୍ତି । ପ୍ରତ୍ୟକ୍ଷ ନିଯୁକ୍ତି ଦ୍ଵାରା ପୁରଣ ହେଉଥିବା ସମସ୍ତ ‘ଗ’ ଏବଂ ‘ଘ’ ପଦବୀରେ ଅବସର ପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ଦଶ ପ୍ରତିଶତ ଆନୁଭୂମିକ ସଂରକ୍ଷଣର ବ୍ୟବସ୍ଥା ରହିଛି । ଏହି ସଂରକ୍ଷଣ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ଲାଗୁ ହେଉଥିବା ସଂରକ୍ଷଣ ସହିତ ଅତିରିକ୍ତ ୧୦% ସଂରକ୍ଷଣ ରହିବ । ଅଗ୍ନିବୀରଙ୍କ ପାଇଁ ନିର୍ଦ୍ଧାରିତ ବୟସ ସୀମାକୁ ତିନି ବର୍ଷ କୋହଳ କରାଯିବା ସହ ସେମାନଙ୍କର ଶାରୀରିକ ଦକ୍ଷତା ପରୀକ୍ଷାରୁ ଅବ୍ୟାହତି ଦିଆଯିବ ।