FeaturedGeneralLatestPolitics

ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଉପରେ ସିବିଆଇ ପଞ୍ଜୀକୃତ ମାମଲାରେ ସୁପ୍ରିମକୋର୍ଟ ଆଜି କେଜ୍ରିୱାଲଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛି। ସୁପ୍ରିମକୋର୍ଟଙ୍କ ଜାମିନ ସର୍ତ୍ତ ଅନୁସାରେ ଜେଲ୍‌ରୁ ମୁକୁଳିବା ପରେ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟ ଯାଇପାରିବେ ନାହିଁ ଏବଂ କୌଣସି ଫାଇଲ୍‌ ଉପରେ ଦସ୍ତଖତ କରି ପାରିବେନି। ଏଥିସହ କେଜ୍ରିୱାଲ ଏହି ମାମଲାରେ ସେ କୌଣସି ବୟାନ ବା ଟିପ୍ପଣୀ ସାର୍ବଜନିନ ସ୍ଥାନରେ ଦେଇପାରିବେ ନାହିଁ।

ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଉଜ୍ବଳ ଭୂୟାଁଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠରେ ଆଜି ସକାଳ ୧୦.୩୦ ସମୟରେ ଏହି ରାୟ ପ୍ରକାଶ କରିଛନ୍ତି। ସେପ୍ଟେମ୍ବର ୫ ତାରିଖରେ ସୁପ୍ରିମ୍‌କୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ୧୦ ଲକ୍ଷ ଟଙ୍କାର ଜମା ରାଶି ବଦଳରେ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି।

କେଜ୍ରିଓ୍ବାଲଙ୍କୁ ଜାମିନ ଦେବା ଉପରେ କୋର୍ଟ କିଛି ସର୍ତ୍ତ ରଖିଛନ୍ତି, ସେଗୁଡିକ ହେଲା…
ଜେଲରୁ ବାହାରିବା ପରେ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ଯାଇପାରିବେ ନାହିଁ
ଏହି ମାମଲା ସହ ଜଡିତ କୌଣସି ଆଲୋଚନା ବାହାରେ କରିବେ ନାହିଁ
ତଦନ୍ତରେ ବାଧା ସୃଷ୍ଟି କରିବାକୁ କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ
ଆବଶ୍ୟକ ପଡିଲେ ସେ ଟ୍ରାଏଲ କୋର୍ଟରେ ହାଜର ହେବେ ଏବଂ ତଦନ୍ତରେ ସହଯୋଗ କରିବେ

ଜଷ୍ଟିସ ଭୂୟାଂ କହିଛନ୍ତି, ”ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ମାମଲାରେ ପୂର୍ବରୁ ଜାମିନ ପ୍ରଦାନ କରାଯାଇଛି ଏବଂ ସିବିଆଇ ମାମଲାରେ ତାଙ୍କୁ ଜେଲରେ ରଖିବା ଅନିରବାଜ୍ୟ ଅଟେ । ଜାମିନ ହେଉଛି ନିୟମ ଏବଂ ଜେଲ୍ ଏହାର ବ୍ୟତିକ୍ରମ। ବିଚାର ପ୍ରକ୍ରିୟା କିମ୍ବା ଗିରଫଦାରୀ ପଦକ୍ଷେପରେ ଉତପିଡନ ହେବା ଉଚିତ ନୁହେଁ। ସିବିଆଇର ଗିରଫ ଦାରୀ ଅନୁଚିତ ଅଟେ । ତେଣୁ କେଜ୍ରିୱାଲଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ । ”

ସୂଚନାଯୋଗ୍ୟ ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରଥମେ ଇଡି ଦ୍ବାରା ଗିରଫ ‌ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ଗତ ଜୁଲାଇ ୧୨ ତାରିଖରେ ସୁପ୍ରିମକୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଇଡି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ତେବେ ସିବିଆଇ ଦ୍ବାରା ଗିରଫ ହୋଇଥିବା ହେତୁ ସେ ତିହାର ଜେଲରେ ଥିଲେ । ଆଜି ସୁପ୍ରିମକୋର୍ଟ ସିବିଆଇ ମାମଲାରେ ଜାମିନ ପ୍ରଦାନ କରିବା ପରେ ସେ ଜେଲରୁ ମୁକୁଳିବେ।