FeaturedGeneralLatest

ଆତଙ୍କବାଦୀଙ୍କ ବିରୋଧରେ ସେନାର ଅପରେସନ, ଡ୍ରୋନ ଭିଡିଓ ଭାଇରାଲ

ଶ୍ରୀନଗର (ସଂକେତ ଟିଭି): ଜମ୍ମୁ-କାଶ୍ମୀର ବାରାମୂଲାରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଆତଙ୍କବାଦୀ ଏନକାଣ୍ଟରର ଭିଡିଓ ସାମନାକୁ ଆସିଛି । ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ବାରାମୂଲା ଜିଲ୍ଲାର ଚକ୍ ଟପ୍ପର କ୍ରେରି ପଟ୍ଟନ ଅଞ୍ଚଳରେ ହୋଇଥିବା ସେନା ଏନକାଉଣ୍ଟରର। ଆତଙ୍କବାଦୀଙ୍କ ବିରୋଧରେ ସେନା ଚଳାଇଥିବା କାର୍ଯ୍ୟାନୁଷ୍ଠାନର ଡ୍ରୋନ ରେକର୍ଡିଂ ହୋଇଥିଲା। ବାରାମୂଲା କ୍ରେରି ଏନକାଉଣ୍ଟରର ଭିଡିଓରେ ଆତଙ୍କବାଦୀଙ୍କ ମଧ୍ୟରୁ ଜଣକୁ ଖସି ପଳାଇବା ଉଦ୍ୟମରେ ବିଲ୍ଡିଂରୁ ବାହାରକୁ ଆସୁଥିବାର ଦେଖାଯାଉଛି। ତେବେ ସେ ଖସି ପଳାଉଥିବା ବେଳେ ସେନା ଗୁଳିରେ ଟଳି ପଡିବା ଓ ପୁଣି ଉଠି ବୁଦା ମୂଳକୁ ଯାଇ ଜୀବନ ବଞ୍ଚାଇବାକୁ ଉଦ୍ୟମ କରୁଥିବା ଦେଖାଯାଉଛି।

ସେନାର ଏହି ଏନକାଉଣ୍ଟରରେ ମୋଟ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଆଗକୁ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ। ଏଣୁ ଆତଙ୍କବାଦୀ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି। ବାରାମୂଲା ଭଳି କିସ୍ତୱାଡରେ ମଧ୍ୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏଠାରେ ମଧ୍ୟ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।