ମଦ ପିଇ ଗାଡି ଚଳାଉଥିଲେ ପ୍ରମୋଦ ଭଗତ, ଗାଡି ସିଜ୍ କଲା ପୋଲିସ
ଭୁବନେଶ୍ବର (ସଂକେତ ଟିଭି): ନିଶାସକ୍ତ ଅବସ୍ଥାରେ ଗାଡି ଚଲାଉଥିବା ବେଳେ ପାରା ଅଲିମ୍ପିଆନ ପ୍ରମୋଦ ଭଗତ ଧରାପଡିଛନ୍ତି । ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଓମଫେଡ୍ ଛକରେ ଚେକିଂ ଚାଲିଥିଲା। ପ୍ରମୋଦ ଭଗତଙ୍କ ଗାଡିକୁ ପୋଲିସ ଅଟକାଇବା ସହ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ନେଇ ଚାଲାଣ କଟାଯାଇଥିଲା ।
ଅନ୍ୟପକ୍ଷରେ ସେ ଗାଡିରେ ନଥିବା ପ୍ରମୋଦ କହିଛନ୍ତି । ସେ କହିଛନ୍ତି ” ମୁଁ ଏବେ ଭୁବନେଶ୍ବରରେ ନାହିଁ । ଗାଡି ମୋ ନାମରେ ଅଛି ସେଥିପାଇଁ ମୋ ନାମରେ ଚାଲାଣ କଟାଯାଇ ଥାଇପାରେ । ମୋ ଭାଇ ଗାଡି ଚଲାଉ ଥାଇପାରେ । ଡ୍ରଙ୍କନ ଡ୍ରାଇଭରେ ଗାଡି ଧରାପଡିଛି ମୁଁ ଜାଣିନି । ଏ ବିଷୟରେ ଭାଇକୁ ପଚାରିବି । ତାପରେ ଘଟଣା ସମ୍ପର୍କରେ କହିବି । ମୁଁ କିନ୍ତୁ ଗାଡି ଚଲାଉନଥିଲି । ”
ଏନେଇ ଟ୍ରାଫିକ ପୋଲିସ ଏସିପି ଜୟନ୍ତ ଦୋରା କହିଛନ୍ତି ଯେ, ”ଓମଫେଡ ଛକରେ ଚେକିଂ ବେଳେ ଡ୍ରଙ୍କନ ଡ୍ରାଇଭରେ ଧରାପଡିଥିଲେ ପ୍ରମୋଦ । ସେ ଗାଡିରେ ଥିଲେ । ପ୍ରମୋଦଙ୍କ ଗାଡିକୁ ଜବତ କରାଯାଇଛି । ”
କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଶନିବାର ରାତିରେ ସେ୍ଫ ସିଟି ଡ୍ରାଇଭ ଅଭିଯାନରେ ଭୁବନେଶ୍ୱରରେ ରାତ୍ରୀ କାଳୀନ ଚେକିଂ କରୁଥିଲା ପୋଲିସ । ସେହି ସମୟରେ ପ୍ରମୋଦ ଭଗତଙ୍କ ଗାଡିକୁ ଧରିଥିଲା ପୋଲିସ । ଡ୍ରାଇଭିଂ କରୁଥିବା ବ୍ୟକ୍ତି ମଦ୍ୟପାନ କରି ଗାଡି ଚଳାଉଥିବା ପୋଲିସ ଜାଣିବାକୁ ପାଇଥିଲା । ଆଲ୍କହଲ ଟେଷ୍ଟିଂ ଚେକିଂ ସମୟରେ ଉକ୍ତ ବ୍ୟକ୍ତି ଜଣକ .୪୭ ପ୍ରତିଶତ ମାତ୍ରା ମଦ୍ୟପାନ କରିଥିବା ଜଣାପଡିଥିଲା । ଏହାପରେ ଗାଡିର ମାଲିକ ପ୍ରମୋଦଙ୍କ ନାମରେ ଚାଲାଣ କାଟି ଥିଲା ଟ୍ରାଫିକ ଥାନାର ୨ ପୋଲିସ । ନାଲକୋ ଛକରୁ କଳାରଙ୍ଗର ନେକ୍ସନ କାର ଯାହାର ନମ୍ବର OD 02AB8383 ଗାଡିକୁ ପୋଲିସ ଜବତ କରି ତମାଣ୍ଡୋକୁ ନେଥିଲା । ସେ କୋର୍ଟରେ ଫାଇନ ଦେବା ପରେ ଗାଡ଼ି ନେଇପାରିବେ । ପୋଲିସ କାଟିଥିବା ଚାଲାଣରେ ତାଙ୍କ ଫଟୋ ସହ ମୋବାଇଲ ନମ୍ବର ଓ ଡ୍ରାଇଭି୍ଂ ଲାଇସେନ୍ସ ମଧ୍ୟ ଉଲ୍ଲେଖ କରାଯାଇଛି ।