୧ ଟଙ୍କା ଯାଇନଥିଲେ ବି ସୁଭଦ୍ରା ଟଙ୍କା ଯିବ : ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମଦିନରେ ଭୁବନେଶ୍ୱର ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ସୁଭଦ୍ରା ହିତାଧିକାରୀ ପ୍ରଥମ କିସ୍ତିରେ ୫-୫ ହଜାର ଟଙ୍କା ପାଇବେ। ତା ପୂର୍ବରୁ ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ୧ ଟଙ୍କା ଲେଖାଏ ପଠାଇଛନ୍ତି । ଏନେଇ ମୋବାଇଲକୁ କନଫର୍ମେସନ ମେସେଜ ଆସିଛି।
ତେବେ ଯେଉଁମାନେ ୧ ଟଙ୍କା ପାଇ ନାହାନ୍ତି, ସେମାନେ ବି ବ୍ୟସ୍ତ ହୁଅନ୍ତୁ ନାହିଁ, ଆଜି ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସବୁ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ ନହେବା ଯାଏଁ ଚାଲିବ ପଞ୍ଜୀକରଣ । ଆକାଉଣ୍ଟକୁ ୧ ଟଙ୍କା ନ ଆସିଥିଲେ ବି ୧୭ରେ ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଆକାଉଣ୍ଟକୁ ୧ ଟଙ୍କା ପଠାଯିବା ଏକ ଟ୍ରାଏଲ ରନ ଥିବା ସେ କହିଛନ୍ତି।
ସୁଭଦ୍ରା ଯୋଜନାର ଆବେଦନ ମଧ୍ୟରେ ସାଇବର ଠକ ମାତିଛନ୍ତି । କିଛି ହିତାଧିକାରୀଙ୍କ ମୋବାଇଲକୁ ଫେକ ଲିଙ୍କ ଆସୁଛି। ତେଣୁ ଏଭଳି ଲିଙ୍କରେ କ୍ଲିକ ନ କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସରକାରଙ୍କ ତରଫରୁ କୌଣସି ଫୋନ କଲ ଯାଉନି । ଯଦି କିଛି ଲିଙ୍କ ଆସୁଥାଏ, ଏହା ସାଇବର ଠକଙ୍କ କାମ ହୋଇପାରେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ସତର୍କ ରହନ୍ତୁ, କୌଣସି ଲିଙ୍କରେ କ୍ଲିକ କରନ୍ତୁ ନାହିଁ। ଫର୍ମରେ ଆବେଦନ କରନ୍ତୁ, ଇ-କେୱାଇସି ଦିଅନ୍ତୁ, ନିଶ୍ଚିତ ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।