ଡୋନାଲ୍ଡ ଟ୍ରମ୍ପ ଉପରକୁ ପୁଣି ଗୁଳିମାଡ
ନୂଆଦିଲ୍ଲୀ (ସଂକେତ ଟିଭି): ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣିଥରେ ଗୁଳିମାଡ଼ ହୋଇଛି । ଫ୍ଲୋରିଡାର ୱେଷ୍ଟ ପାମ୍ ବିଚ୍ର ଗୋଲ୍ଫ କ୍ଲବରେ ଗଲ୍ଫ ଖେଳୁଥିବା ବେଳେ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଏହାର ଜବାବରେ ସିକ୍ରେଟ ସର୍ଭିସ ସଦସ୍ୟ ପାଲଟା ଗୁଳିଚାଳନା କରିଥିଲେ। ତେବେ ଗୁଳିମାଡ଼ରୁ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସୁରକ୍ଷିତ ଥିବା ନେଇ ବିଜେ ସୋସିଆଲ ମିଡିଆରେ ଟ୍ରମ୍ପ ସୂଚନା ଦେଇଛନ୍ତି । ଏନେଇ ସିକ୍ରେଟ ସର୍ଭିସ ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନା ଅନୁସାରେ, ଫ୍ଲୋରିଡାର ୱେଷ୍ଟ ପାମ ବିଚରେ ଥିବା ଟ୍ରମ୍ପ ଇଣ୍ଟରନ୍ୟାସନାଲ ଗଲ୍ଫ କୋର୍ସ ନିକଟରେ ଗୁଳି ବିନିମୟ ହୋଇଥିଲା। ଆମେରିକୀୟ ସିକ୍ରେଟ୍ ସର୍ଭିସ ଏଜେଣ୍ଟମାନେ କ୍ଲବ ନିକଟରେ ବନ୍ଧୁକ ଧରିଥିବା ଜଣେ ବ୍ୟକ୍ତିଙ୍କୁ ଦେଖିବା ପରେ ଗୁଳି ଚଳାଇଥିଲେ। ଅଜ୍ଞାତ ବନ୍ଧୁକଧାରୀ ଘଟଣାସ୍ଥଳରେ ବନ୍ଧୁକ ଛାଡି ଏକ ଏସୟୁଭିରେ ପଳାଇ ଯାଇଥିଲେ। ତେବେ ଫ୍ଲୋରିଡାର ପଡୋଶୀ କାଉଣ୍ଟିରୁ ପୋଲିସ ତାଙ୍କୁ ଗିରଫ କରିଥିଲା। ତେବେ ଅଧିକାରୀମାନେ ଗୁଳି ବିନିମୟ ସମ୍ପର୍କିତ ସୂଚନା ସେୟାର କରିନାହାନ୍ତି। ଆକ୍ରମଣକାରୀଙ୍କ ନିକଟରୁ ଏକେ-୪୭ ଭଳି ଦେଖାଯାଉଥିବା ବନ୍ଧୁକ ଜବତ କରାଯାଇଛି ବୋଲି ପୋଲିସ କହିଛି।
ସେପଟେ ଏନେଇ ପାଲ୍ ବିଚ୍ କାଉଣ୍ଟିର ଶେରିଫ୍ ରିକ୍ ବ୍ରେଡସା କହିଛନ୍ତି ଯେ, ଟ୍ରମ୍ପ୍ ଗଲ୍ଫ କୋର୍ସରେ ଗଲ୍ଫ ଖେଳୁଥିବା ବେଳେ ନିକଟରୁ ଜଣେ ଦୁର୍ବୃତ୍ତର ଗୁଳିମାଡ଼ କରିଥିଲା । ଘଟଣାସ୍ଥଳରୁ ଫେରାର ହୋଇଥିବା ସନ୍ଦିଗ୍ଧକୁ ଗିରଫ କରାଯାଇଛି । ତାଠାରୁ ଏକେ-୪୭ ଜବତ କରାଯାଇଛି । ସନ୍ଦିଗ୍ଧଙ୍କ ପାଖରେ ଏକ ସ୍କୋପଥିବା ଏକେ-୪୭ ବନ୍ଧୁକ ଏବଂ ଗୋ-ପ୍ରୋ କ୍ୟାମେରା ଥିଲା। ବନ୍ଧୁକଧାରୀ ଟ୍ରମ୍ପଙ୍କଠାରୁ ପ୍ରାୟ ୨୭୫ରୁ ୪୫୦ ମିଟର ଦୂରରେ ଥିଲେ। ସିକ୍ରେଟ୍ ସର୍ଭିସ ସଦସ୍ୟଙ୍କ ପକ୍ଷରୁ ସନ୍ଦିଗ୍ଧଙ୍କ ଉପରେ ଚାରି ରାଉଣ୍ଡ ଗୁଳି ଚଳାଯାଇଥିଲା। ତେବେ ଆକ୍ରମଣକାରୀ ଗୁଳି ଚଳାଇଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଖବର ଅନୁଯାୟୀ, ପୂର୍ବରୁ ମଧ୍ୟ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ଜୁଲାଇ ୧୩ରେ ପେନସିଲଭାନିଆରେ ହୋଇଥିବା ଗୁଳିମାଡ଼ରେ ଟ୍ରମ୍ପ ଆହତ ହୋଇଥିଲେ ।