FeaturedGeneralLatest

ଆତିଶୀ ମର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ (ସଂକେତ ଟିଭି): ଆତିଶୀ ମାର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ଆତିଶୀଙ୍କ ନାମ ପ୍ରସ୍ତାବ ରଖିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ତାଙ୍କ ନାମରେ ସର୍ବସମ୍ମିତି କ୍ରମେ ମୋହର ବାଜିଛି । ସର୍ବସହମତିରେ ମନୋନୀତ ହୋଇଛନ୍ତି ଆତିଶୀ । ବର୍ତ୍ତମାନ ସେ ଦିଲ୍ଲୀର ଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ସଂସ୍କୃତି, ପର୍ଯ୍ୟଟନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ରହିଛନ୍ତି । ଆତିଶୀ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି । ଏହାପୂର୍ବରୁ ସୁଷମା ସ୍ବରାଜ ଓ ଶୀଳା ଦିକ୍ଷିତ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ରହିଥିଲେ ।

ସେପଟେ ଆଜି ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ସହ ସାକ୍ଷାତ ପରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଅପରାହ୍ନ ୪.୩୦ରେ ଇସ୍ତଫା ଦେବେ ବୋଲି ଜଣାପଡିଛି। ଗତ ସପ୍ତାହରେ ମଦ ନୀତି ମାମଲାରେ ଜାମିନ ପାଇଥିବା କେଜ୍ରିୱାଲ ସେପ୍ଟେମ୍ବର ୧୫ ତାରିଖରେ ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେ‌ବେ ବୋଲି ଘୋଷଣା କରିଥିଲେ। ସେ ତାଙ୍କର ଇସ୍ତଫା ଘୋଷଣା ସହ ସବୁ କିଛି ଜନସାଧାରଣଙ୍କ ଉପରେ ଛାଡ଼ି ଦେଇଥିଲେ। ଜନସାଧାରଣ ତାଙ୍କୁ ନ୍ୟାୟ ନଦେବା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନାହିଁ ବୋଲି କହିଥିଲେ।

ଆତିଶୀ ଆମ ଆଦମୀ ପାର୍ଟି ପ୍ରତିଷ୍ଠା ସମୟରେ ଦଳରେ ଯୋଗ ଦେଇଥିଲେ । ସେ 2013 ବିଧାନସଭା ନିର୍ବାଚନ ପାଇଁ ଦଳର ମନିଫେଷ୍ଟୋ ଡ୍ରାଫ୍ଟ କମିଟିର ପ୍ରମୁଖ ସଦସ୍ୟ ଥିଲେ । ପରେ ସେ ଦଳର AAP ମୁଖପାତ୍ର ରହିବା ସହ । ସେ ଜୁଲାଇ 2015 ରୁ ଏପ୍ରିଲ 2018 ପର୍ଯ୍ୟନ୍ତ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ । 2019 ରେ ଲୋକସଭା ନିର୍ବାଚନରେ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କ ଠାରୁ ସେ ପରାଜିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ବିଧାନସଭା ନିର୍ବାଚନ ଜିତି ସେ ଦିଲ୍ଲୀ କ୍ୟାବିନେଟରେ ମନ୍ତ୍ରୀ ହୋଇଥିଲେ ।