ଚୀନକୁ ହରାଇ ଭାରତୀୟ ହକି ଦଳ ଏସିଆ ଚାମ୍ପିଅନ
ନୂଆଦିଲ୍ଲୀ (ସଂକେତ ଟିଭି): ଭାରତୀୟ ହକି ଟିମ୍ ଚୀନ ଠାରେ ଚାଲିଥିବା ଏସିଆ କପ୍ ର ଫାଇନାଲରେ ଚୀନକୁ ପରାଜିତ କରିଛି । ଏହା ସହିତ ଭାରତ ପଞ୍ଚମ ଥର ଲାଗି ଏସିଆ ଚାମ୍ପିୟନ ହୋଇଛି। ଫାଇନାଲ ମୁକାବିଲାରେ ଚୀନ ଭାରତୀୟ ଦଳ ସହିତ କଡ଼ା ମୁକାବିଲା କରିଥିଲା। ତୃତୀୟ କ୍ୱାର୍ଟର ସୁଦ୍ଧା ଉଭୟ ପକ୍ଷ କୌଣସି ଗୋଲ୍ କରିପାରି ନଥିଲେ। ତେବେ ଚତୁର୍ଥ କ୍ୱାର୍ଟରର ୧୦ ମିନିଟରେ ଭାରତ ପାଇଁ ଯୁଗରଜ ସିଂହ ଏକମାତ୍ର ଗୋଲ କରିଥିଲେ, ଯାହା ବିଜୟ ସୂଚକ ଥିଲା।
ଏହାପୂର୍ବରୁ ଭାରତ ସେମିଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟପଟେ ଚୀନ ହକି ଟିମ୍ ପ୍ରଥମ ଥର ଲାଗି ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଫାଇନାଲରେ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜୟୀ ଭାରତ ଠାରୁ ପରାଜୟ ବରଣ କରି ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡିଛି।
ଭାରତୀୟ ଦଳ ଇତିହାସରେ ସର୍ବାଧିକ ପଞ୍ଚମ ଥର (ଚଳିତ ସିଜିନକୁ ମିଶାଇ) ଏସୀୟ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଛି। ପୁରୁଷ ହକି ଏସୀୟ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସିଜନ୍ ୨୦୧୧ ରେ ଖେଳାଯାଇଥିଲା। ତା’ପରେ ଭାରତୀୟ ଦଳ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଥିଲା। ଏହା ପରେ ଭାରତୀୟ ଦଳ ୨୦୧୩, ୨୦୧୮ ଏବଂ ୨୦୨୩ ସିଜନରେ ମଧ୍ୟ ଜିତିଛି। ୨୦୧୮ ରେ ଭାରତୀୟ ଦଳ ପାକିସ୍ତାନ ସହ ମିଳିତ ବିଜେତା ହୋଇଥିଲା।
ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ୮ ଟି ସିଜିନ୍ ଖେଳାଯାଇଛି, ସେଥିମଧ୍ୟରୁ ଭାରତ ୪ ଥର, ପାକିସ୍ତାନ ଗୋଟିଏ ଥର ଏବଂ ଦକ୍ଷିଣ କୋରିଆ ଥରେ ଟାଇଟଲ ଜିତିଛି। ଭାରତ ୨୦୧୮ ରେ ଭାରତ ଏବଂ ପାକିସ୍ଥାନ ମିଳିତ ବିଜେତା ହୋଇଥିଲେ।
ଭାରତୀୟ ହକି ଦଳର ଏହି ସଫଳତା ପରେ ସାରା ଦେଶରୁ ହକି ଦଳକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏହା ସହ ଅସମୟରେ ଭାରତୀୟ ହକି ଦଳର ହାତ ଧରି ଉପରକୁ ଉଠାଇଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସମସ୍ତେ ପ୍ରଶଂସା କରୁଛନ୍ତି। ଭାରତୀୟ ହକି ଦଳ ଯେବେ ବି ତିରଙ୍ଗା ଉଡ଼ାଇବ, ସେତେବେଳେ ନବୀନ ମନେ ପଡ଼ିବେ ବୋଲି ସାମାଜିକ ଗଣମାଧ୍ୟମରେ ଅନେକ ମତବ୍ୟକ୍ତ କରିଛନ୍ତି ।