ଆର୍ମି ମେଜର ନିର୍ଯାତନା ମାମଲା:ଆଇଆଇସିଙ୍କ ସମେତ ୫ ଜଣ ହେଲେ ସସପେଣ୍ଡ
ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱର ଭରତପୁର ଥାନାରେ ମେଜର ଗୁରୁବନ୍ତ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୋଲିସ ମହାନିର୍ଦେଶକ ୫ ଜଣଙ୍କୁ ସସପେଣ୍ଡ କରିଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ପାଇବା ପରେ ପୋଲିସ ଡିଜି ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର, ସବ୍-ଇନସ୍ପେକ୍ଟର ବୈଶାଳିନୀ ପଣ୍ଡା,ଏଏସଆଇ ସଲିଳମୟୀ ସାହୁ ,ଏଏସଆଇ ସାଗରିକା ରଥ, କନଷ୍ଟେବଳ ବଳରାମ ହାଁସଦାଙ୍କୁ ସସପେଣ୍ଡ କରିଛନ୍ତି।
ଭୁବନେଶ୍ୱର ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ଓଡିଶା ଅବସରପ୍ରାପ୍ତ ସେନା ସଂଘର ଅଭିଯୋଗ ଅନୁସାରେ ମେଜର ଗୁରବନ୍ତ ସିଂ ଓ ତାଙ୍କ ବାନ୍ଧବୀ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ । ମେଜର ଗୁରୁବନ୍ତ ଓ ତାଙ୍କ ବାନ୍ଧବୀ ଅଙ୍କିତା ପଟିଆର ଏକ ରେସ୍ତେରାଁରୁ ଆସୁଥିବା ବେଳେ ରାସ୍ତାରେ ଏକ କାରକୁ ଓଭରଟେକ କରିବା ପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ । ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ତାଙ୍କ ନିକଟକୁ ଆସିଥିଲେ । ଅଭିଯୋଗ ରଖିବାକୁ ତାଙ୍କୁ କହିବାପରେ ସେ ଶୁଣିନଥିଲେ । ଏନେଇ ଉଭୟଙ୍କ ମଧ୍ଯରେ ଯୁକ୍ତିତର୍କ ହେବା ପରେ ଗୁରୁବନ୍ତଙ୍କୁ ପ୍ଯାଣ୍ଟ ସାର୍ଟ ଖୋଲି ଥାନାରେ ବସାଇଦେଇଥିଲେ । ଏଥି ସହିତ ମେଜର ଗୁରୁବନ୍ତ ସିଂଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ମାଡ଼ ମରାଯାଇଥିଲା।
ଏହି ଘଟଣାକୁ ନେଇ ଓଡିଶା ଅବସରପ୍ରାପ୍ତ ସେନା ସଂଘ ଅଭିଯୋଗ ସହ ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ। ଘଟଣା ନେଇ ସୂଚନା ପାଇବା ପରେ ପୋଲିସ ଡିଜି ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଡ଼ିଏସପି ନରେନ୍ଦ୍ର ବେହେରା ଏହି ତଦନ୍ତ କରୁଥିଲେ। ସେ ଗତକାଲି ଭାରତପୁର ଥାନାରୁ ତଦନ୍ତ ସାରିବା ପରେ ଆଜି ରିପୋର୍ଟ ପ୍ରଦାନ କରିଥିଲେ।