ନୂଆ ସରକାର ର ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ନୂଆ ସରକାର ଗଠନର ପ୍ରଥମ ୧୦୦ ଦିନ ପୂରଣ ଅବସରରେ ଆଜି ପୁରୀ ଠାରେ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଆଜି ଆମ ସରକାର କ୍ଷମତାକୁ ଆସିବା ପରେ ୧୦୦ ଦିନ ପୂରଣ କରୁଛି। ଆମେ ଲୋକଙ୍କ ସରକାର ହିସାବରେ ନିଜକୁ ପ୍ରତିପାଦିତ କରିଛୁ।
ବର୍ଷ ବର୍ଷ ଧରି ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣା ଯାଉ ନ ଥିଲା। ସରକାରୀ ଅଧିକାରୀ ମାନଙ୍କ ଦୟାରେ ଲୋକେ ରହିଥିଲେ। ଆମେ ଏଥିରେ ପରିବର୍ତ୍ତନ ଆଣିଛୁ। ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ସିଧାସଳଖ ଭାବରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଓ ପ୍ରତିବିଧାନର ପ୍ରୟାସ କରୁଛନ୍ତି। ଆମେ ସେହି ସବୁ ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରଥମ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନେଇଥିଲୁ। ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁଙ୍କ ରତ୍ନର ସୁରକ୍ଷା କରିବା ଆମର ପ୍ରଥମ ପଦକ୍ଷେପ ଥିଲା।
ସେ କହିଲେ ଯେ, ଗତ କିଛି ବର୍ଷ ଧରି ଓଡ଼ିଆ ଅସ୍ମିତା, ଭାଷା, ସ୍ୱାଭିମାନ, ପରିଚୟ ଅବହେଳିତ ହୋଇଥିଲା। ୨୦୨୪ ନିର୍ବାଚନର ଲୋକେ ଓଡ଼ିଆ ଅସ୍ମିତାର ପୁନଃ ପ୍ରତିଷ୍ଠା ପାଇଁ ମତ ପ୍ରଦାନ କରିଥିଲେ। ଆମେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ସହିତ ଓଡ଼ିଆ ଅସ୍ମିତାର ପୁନଃ ପ୍ରତିପାଦନ ନିମନ୍ତେ ୨୦୦ କୋଟି ଟଙ୍କାର ସ୍ଥାୟୀ ପାଣ୍ଠି ଗଠନ କରିଛୁ। ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା ନିମନ୍ତେ ଆମେ ନିଷ୍ପତ୍ତି ନେଇଛୁ। ଶ୍ରୀମନ୍ଦିରର ଉନ୍ନତି ପାଇଁ ଆମ ସରକାର ୫୦୦ କୋଟି ଟଙ୍କାର ସ୍ଥାୟୀ ପାଣ୍ଠି ର ବ୍ୟବସ୍ଥା କରିଛନ୍ତି।
ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଥିଲା ଆମର ବଡ ପ୍ରତିଶୃତି। ବଜେଟରେ ୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରି ଆମେ ଏହାକୁ କାର୍ଯ୍ୟକାରୀ କରିଛୁ। ଚାଷୀ ଭାଇ ମାନେ ୪୮ ଘଣ୍ଟା ଭିତରେ ଏହି ମୂଲ୍ୟ ପାଇବେ। ଚାଷୀ ଭାଇ ମାନଙ୍କ ପାଇଁ ଆମେ ସିଏମ୍ – କିସାନ ଯୋଜନା ଆରମ୍ଭ କରିଛୁ। ପିଏମ – ସମ୍ମାନ ନିଧି ସହିତ ସଂଯୁକ୍ତ ହୋଇ ଏହା ଚାଷୀ ଭାଇ ମାନଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରିବ। ଯୋଉ ଚାଷୀ ମାନେ, ଆଜି ପର୍ଯ୍ୟନ୍ତ କୌଣସି ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ଅଛନ୍ତି, ସେମାନଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଆମେ ଏକ ପୋର୍ଟାଲ ଆରମ୍ଭ କରିଛୁ।
ସୁଭଦ୍ରା ଯୋଜନା ସଂପର୍କରେ ଉଲ୍ଲେଖ କରି ସେ କହିଲେ ଯେ, ଦେବୀ ସୁଭଦ୍ରାଙ୍କ ନାମରେ ନାମିତ ସୁଭଦ୍ରା ଯୋଜନାରେ ଉପକୃତ ହେବାକୁ ଯାଉଛନ୍ତି ଏକ କୋଟିରୁ ଉର୍ଦ୍ଧ୍ବ ମହିଳା। ବର୍ଷକୁ ୧୦ ହଜାର ଲେଖାଏଁ ପାଞ୍ଚ ବର୍ଷରେ ପ୍ରତ୍ୟେକ ଯୋଗ୍ୟ ମହିଳା ପାଇବେ ପଚାଶ ହଜାର ଟଙ୍କା। ଏହି ଟଙ୍କା ସେମାନଙ୍କୁ ଫେରାଇବାକୁ ପଡ଼ିବ ନାହିଁ, କାରଣ ଏହା ଋଣ ଆକାରରେ ସେମାନଙ୍କୁ ଦିଆଯାଉ ନାହିଁ।
ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଆୟୁଷ୍ମାନ ଭାରତ ଯୋଜନାକୁ ଆମ ସରକାର ଅତିଶିଘ୍ର ଲାଗୁ କରିବାକୁ ଯାଉଛନ୍ତି। ଏହାଦ୍ବାରା ଦେଶର ଯେ କୌଣସି ଅଞ୍ଚଳରେ ରହୁଥିବା ଓଡ଼ିଆ ଲୋକଟିଏ ଚିକିତ୍ସା ସୁବିଧା ପାଇ ପାରିବ। ଚଳିତ ବର୍ଷ ବଜେଟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ୩୨ ପ୍ରତିଶତ ବ୍ୟୟ ବରାଦ ବୃଦ୍ଧି କରାଯାଇଛି। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ସ୍ବାସ୍ଥ୍ୟ ସେବାର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରି ଆମେ ଲୋକଙ୍କୁ ଘର ପାଖରେ ଉତ୍ତମ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ପ୍ରଚେଷ୍ଟା ଆରମ୍ଭ କରିଛୁ। ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ୍ ପ୍ରତିଷ୍ଠା ସହ, ଖାଲି ଥିବା ଡ଼ାକ୍ତର ଓ ପାରା ମେଡିକାଲ ପଦବୀ ପୂରଣ ନିମନ୍ତେ କାର୍ଯ୍ୟକ୍ରମ ଆରମ୍ଭ କରିଛୁ।
ଶିକ୍ଷା କ୍ଷେତ୍ରରେ ଆମ ସରକାର ୧୦୦ ଦିନ ଭିତରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ପିଏମ୍-ଶ୍ରୀ ଯୋଜନାରେ ୮୦୦ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବରେ ପ୍ରତିଷ୍ଠା କରାଯିବ। ନୂଆ ଶିକ୍ଷା ନୀତି – ୨୦୨୦ କୁ ଆମେ ଲାଗୁ କରିବାକୁ ନିଷ୍ପତ୍ତି ନେଇ ସାରିଛୁ।
ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ସେହିପରି ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଅଭିବୃଦ୍ଧି ପାଇଁ ପିଏମ୍-ଉଷା ଯୋଜନା କାର୍ଯ୍ୟକାରୀ ହେବ। ଛାତ୍ରଛାତ୍ରୀ ମାନେ ଯେଭଳି ଅଧାରୁ ପାଠ ନ ଛାଡନ୍ତି, ସେଥିପାଇଁ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ପାଇଁ ବଜେଟରେ ବ୍ୟବସ୍ଥା ରଖା ଯାଇଛି, ଯାହାଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କୁ ୫୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ।
ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ ପାଇଁ ୧ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଥି ସହିତ କେନ୍ଦ୍ର ବଜେଟରେ ଜନଜାତି ଅଧ୍ୟୁଷିତ ଅଞ୍ଚଳକୁ ସବୁଦିନିଆ ପକ୍କା ରାସ୍ତା ନିର୍ମାଣ ନିମନ୍ତେ ବ୍ୟବସ୍ଥା ହୋଇଛି, ଯାହାର ସୁଫଳ ଓଡ଼ିଶାକୁ ମଧ୍ୟ ମିଳିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ଅଧିକ ଆବାସର ପ୍ରାବଧାନ ରଖାଯାଇଛି।
ଶ୍ରମିକ, ବୟସ୍କ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ସରକାର ଭତ୍ତା ର ପରିମାଣ ବୃଦ୍ଧି କରିଛନ୍ତି। ୮୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଏବେ ମାସିକ ୩ ହଜାର ୫ ଶହ ଟଙ୍କା ପାଇବେ। ନିର୍ମାଣ ଶ୍ରମିକମାନଙ୍କ ପରିବାରକୁ କୌଣସି ଶ୍ରମିକଙ୍କ ଆକସ୍ମିକ ମୃତ୍ୟୁ ହେଲେ ଏବେ ୬ ଲକ୍ଷ ଟଙ୍କା ସହାୟତା ମିଳିବ।
ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ୫ ବର୍ଷ ମଧ୍ୟରେ ଅଢେଇ ଲକ୍ଷ୍ୟ ସରକାରୀ ପଦବୀ ପୂରଣ କରାଯାଇ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦିଆଯିବ। ସେହିପରି ଅଗ୍ନିବୀର ମାନଙ୍କ ପାଇଁ ୟୁନିଫର୍ମ ସର୍ଭିସ୍ ରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ।
ଗ୍ରାମାଞ୍ଚଳ ତଥା ତୃଣମୂଳ କ୍ଷେତ୍ରରେ କ୍ରୀଡାର ବିକାଶ ପାଇଁ ଆମ ସରକାର ୯୫୨ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଭୁବନେଶ୍ୱର ଠାରେ ୧୦୦-ଏକର ଅଞ୍ଚଳ ରେ ଏକ ନୂତନ ବିଶ୍ବସ୍ତରୀୟ ଷ୍ଟାଡିୟମ୍ ତଥା କ୍ରୀଡ଼ା କେନ୍ଦ୍ର ନିର୍ମାଣ କରାଯିବ। ଜାତୀୟ ହକି ଦଳକୁ ସରକାର ୨୦୩୬ ଯାଏଁ ପ୍ରାୟୋଜିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଶିଳ୍ପ
ସେଥିପାଇଁ ଶିଳ୍ପ କ୍ଷେତ୍ର କୁ ଆମେ ଅଧିକ ଗୁରୁତ୍ବ ଦେଉଛୁ ରାଜ୍ୟ ରାଜଧାନୀ ଅଞ୍ଚଳରେ FDI ପାର୍କ ପ୍ରତିଷ୍ଠା, ଗାର୍ମେଂଟ ମାନୁଫେକଚରିଂ, ମେଗା ଫୁଡ଼ ପାର୍କ ଆଦି ପ୍ରତିଷ୍ଠା ପାଇଁ ନିଷ୍ପତି କରାଯାଇଛି ଏହା ସହିତ ରାଜ୍ୟରେ ୧୧ ଟି ନୂଆ MSME ପାର୍କ ମଧ୍ୟ ପ୍ରତିଷ୍ଠା କରାଯିବ। ରାଉରକେଲା, ସମ୍ବଲପୁର, ପାରାଦୀପ ଓ ଧାମରା ଅଞ୍ଚଳରେ Industrial Corridor ସ୍ଥାପନ ମଧ୍ୟ କରାଯିବ । ଦେଶର ପ୍ରଥମ ସେମି କଣ୍ଡକ୍ଟର ମାନୁଫେକଚରିଂ ଫାସିଲଟି ଭୁବନେଶ୍ବର ଇନ୍ଫୋ ଭ୍ୟାଲିରେ ପ୍ରତିଷ୍ଠା କରାଯିବ । ଏହାର ଭିତ୍ତି ପ୍ରସ୍ତର ରଖାଯାଇ ସାରିଛି । ରାଜ୍ୟର IT, ITES ଓ Electronics କ୍ଷେତ୍ରରେ ୫୦ ହଜାର ନିଯୁକ୍ତି ସୃଷ୍ଟି କରାଯିବ ।
ରାଜ୍ୟରେ Single Window Clearance Authority ଜରିଆରେ ଆମେ ବର୍ତମାନ ସୁଦ୍ଧା ୨୬ ଟି ନୂଆ ପ୍ରକଳ୍ପ ପାଇଁ ଅନୁମୋଦନ ଦେଇ ସାରିଛୁ । ଏହା ଦ୍ବାରା ରାଜ୍ୟରେ ପ୍ରାୟ ୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ ଏବଂ ୧୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆସନ୍ତା ୫ ବର୍ଷ ଆମେ ଶିଳ୍ପ କ୍ଷେତ୍ରରେ ୩.୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିବୁ ।
ଏବେ ନିକଟରେ କେନ୍ଦ୍ର ସରକାର କେବଳ ରେଳ କ୍ଷେତ୍ରରେ ୨୦,୦୦୦ କୋଟି ଟଙ୍କାର ରେଳ ପ୍ରକଳ୍ପ ଓଡ଼ିଶାକୁ ଉପହାର ଦେଇଛନ୍ତି। ରେଳ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ୭୦ ହଜାର କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇ ସାରିଥିବା ବେଳେ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ଯୋଜନା ରହିଛି।
ନିକଟରେ ମୁଁ ଦିଲ୍ଲୀ ଗସ୍ତ ବେଳେ ପ୍ରାୟ ୨୧,୦୦୦ କୋଟି ଟଙ୍କାର ଅନେକ ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପ ଓଡ଼ିଶା ପାଇଁ ମଞ୍ଜୁର ହୋଇଛି।ଏହା ସହିତ ୫୦,୦୦୦ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ମଧ୍ୟ କେନ୍ଦ୍ର ସରକାରଙ୍କ ବିଚାରାଧୀନ ଅଛି ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସଂସଦୀୟ ବ୍ୟାପାର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ , ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।