ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଠିକଣା ବଦଳିଲା
ଭୁବନେଶ୍ବର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ଠିକଣାରେ ଅଭିଯୋଗ ଶୁଣାଣି କରିବେ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ନୂଆ ଠିକଣା ହୋଇଛି VIIIMR-4 । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ପକ୍ଷରୁ ସୂଚନା ମିଳିଛି ।
ବିଜ୍ଞପ୍ତି ଅନୁସାରେ ପୂର୍ବ ସରକାରୀ ବାସଗୃହ ନମ୍ବର VIIIMR-3 ପାଖରେ ଥିବା VIIIMR-4ରେ ମୋହନ ସରକାର ଆଗାମୀ ଦିନରେ ଅଭିଯୋଗ ଶୁଣାଣି କରିବେ । ଏହି ବାସଗୃହ ଅଭିଯୋଗ ଶୁଣାଣୀ ଲାଗି ଆଲର୍ଟ ହୋଇଛି । ପୂର୍ବରୁ ଏହି ବାସଭବନରେ ସ୍ୱର୍ଗତ ରାଜନେତା ନବ କିଶୋର ଦାସଙ୍କ ସରକାରୀ ବାସଭବନ ଥିଲା । ପରେ ତାଙ୍କ ଝିଅ ତଥା ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ରହୁଥିଲେ । ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ସ୍ଥାନ ବଦଳିବା ପରେ ଏହି ବାସଭବନକୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ସାମିଲ କରାଯାଇଛି । ଲୋୟର ପିଏମଜିରେ ଥିବା ପୂର୍ବ ବାସଭବନ ସହ ଏହାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବାସଭବନ ଭାବେ ବ୍ୟବହାର କରିବେ । ଏହିପାଇଁ କାର୍ଯ୍ୟାଳୟର ବିଭିନ୍ନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।
ସେହିପରି ଆସନ୍ତା 23 ତାରିଖରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କରିବେ । ବିଧାନସଭା କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ଛୁଟି କାରଣରୁ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା ।