FeaturedLatestNews

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନା

ନୂଆଦିଲ୍ଲୀ (ସଂକେତ ଟିଭି): ଆତିଶୀ ମର୍ଲେନା ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଉପରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଆଜି ସେ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ କ୍ୟାବିନେଟର ଅନ୍ୟ ପାଞ୍ଚ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ ସରକାର ଗଢିବା ନେଇ ଆତିଶୀ ଉପରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଥିଲେ।

ରାଜ ନିବାସ ଠାରେ ଆୟୋଜିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ଦିଲ୍ଲୀ ଉପ ରାଜ୍ୟପାଳ ବିନୟ କୁମାର ସାକ୍ସେନା ଆତିଶୀଙ୍କୁ ଶପଥ ଗ୍ରହଣ କରାଇଥିଲେ ଏବଂ ଏହାସହ ସେ ଦିଲ୍ଲୀର ତୃତୀୟ ତଥା କନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆତଶୀଙ୍କ ସହ ଗୋପାଳ ରାୟ, କୈଳାଶ ଗେହଲଟ, ସୌରଭ ଭରଦ୍ୱାଜ ଏବଂ ଇମ୍ରାନ ହୁସେନ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ କେଜ୍ରିୱାଲ ଗିରଫ ହୋଇଥିଲେ । ସେ ୬ ମାସ ଜେଲରେ ରହିବା ପରେ ସେପ୍ଟେମ୍ବର ୧୪ରେ ତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା। ଏହା ପରଦିନ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ। ଏହି ଘୋଷଣାର ଦୁଇ ଦିନ ପରେ କେଜ୍ରିୱାଲ ନିଜ ପଦରୁ ଇସ୍ତଫା ଦେଇଥିଲେ ଏବଂ ବିଧାୟକ ଦଳ ବୈଠକରେ ଆତିଶୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା।