ସୁଭଦ୍ରା ଟଙ୍କା ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ଗଛରେ ବାନ୍ଧି ପିଟିଲେ, ୩ ମହିଳା ଗିରଫ
ବାଲେଶ୍ୱର (ସଂକେତ ଟିଭି): ‘ସୁଭଦ୍ରା’ ଯୋଜନାରେ ଆକାଉଣ୍ଟକୁ ଟଙ୍କା ନ ଆସିବାରୁ ବାଲେଶ୍ୱର ଜିଲ୍ଲା ସିଂଲା ଥାନା କୁଣ୍ଡୁଳି ପଞ୍ଚାୟତ ମହାପଦା ଗ୍ରାମରେ କଙ୍ଗାରୁ କୋର୍ଟରେ ଜଣେ ଅଙ୍ଗନବାଡ଼ି ମହିଳାଙ୍କୁ ଗଛରେ ବାନ୍ଧି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତର କିଛି ମହିଳା ଓ ପୁରୁଷ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଉର୍ମିଳା ସାମଲଙ୍କୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ଏହି ଘଟଣାରେ ୩ ଜଣ ମହିଳାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।
ସୂଚନାନୁଯାୟୀ, ଗତ ୧୯ ତାରିଖ ଦିନ ୧୧ଟାରେ ଉର୍ମିଳା ଅଙ୍ଗନବାଡ଼ି କେନ୍ଦ୍ରରେ ଥିଲା ବେଳେ ହଠାତ ମହାପଦା ଗ୍ରାମର ୧୫ରୁ ୨୦ଜଣ ମହିଳା ଓ ପୁରୁଷ ସେଠାରେ ପହଞ୍ଚିଥିଲେ। ଆମ ଆକାଉଣ୍ଟକୁ କାହିଁକି ‘ସୁଭଦ୍ରା’ ଟଙ୍କା ଆସିଲାନି ବୋଲି ପ୍ରଶ୍ନ କରିବା ସହ ତାଙ୍କୁ ଘୋଷାଡ଼ି ଆଣି ଏକ ଗଛରେ ବାନ୍ଧି ପକାଇ ନିସ୍ତୁକ ମାଡ଼ ମାରିଥିଲେ। ସେଠାରେ ଉପସ୍ଥିତ ଥିବା ଶିକ୍ଷକ ଓ ଗ୍ରାମବାସୀମାନଙ୍କ ମଧ୍ୟରୁ କେହି ଜଣେ ହେଲେ ଅଙ୍ଗନବାଡ଼ି କର୍ମୀଙ୍କୁ ଉଦ୍ଧାର କରିବାକୁ ଆସିନଥିଲେ। ତେବେ କିଛି ଭଦ୍ରଲୋକ ଏ ସଂପର୍କରେ ସିଂଲା ଥାନା ପୋଲିସ୍କୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି ଆଖି ଆଗରେ ସବୁ ଘଟଣା ଦେଖିଥିଲେ ହେଁ ଉର୍ମିଳାଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ। ଖବର ପାଇ ସିଡିପିଓ ଓ ଅଙ୍ଗନବାଡ଼ି ସୁପରଭାଇଜର ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରି ଉର୍ମିଳାଙ୍କୁ ଛାଡ଼ିଦେବା ପାଇଁ କହିଥିଲେ। ହେଲେ ଉତ୍ତ୍ୟକ୍ତ ମହିଳାମାନେ ସିଡିପିଓ ଓ ସୁପରଭାଇଜର୍ଙ୍କୁ ବି ଗାଳିଗୁଲଜ କରିଥିଲେ। ପରେ ଉର୍ମିଳାଙ୍କ ପରିବାରଲୋକ କୌଣସି ପ୍ରକାରେ ତାଙ୍କୁ ଉଦ୍ଧାର କରିଥିଲେ। ତେବେ ଉର୍ମିଳାଙ୍କ ପରିବାରଲୋକ କୌଣସି ପ୍ରକାରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଅବସ୍ଥା ଉଦ୍ବେଗଜନକ ରହିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଗତକାଲି ସଂଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସଂପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ଫୋନ୍ କରି ଘଟଣା ସଂପର୍କରେ ପଚାରି ବୁଝିଛନ୍ତି। ଏହି ଘଟଣାରେ ପୀଡିତାଙ୍କୁ ନିଶ୍ଚିତ ନ୍ୟାୟ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହି ବର୍ବୋରଚିତ ଘଟଣାରେ ଏଆଇଟିୟୁସି ସଂଯୁକ୍ତ ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ସଂଘର ଜିଲ୍ଲା ସଭାପତି ପ୍ରତିଭା ପାଲ, ଜିଲ୍ଲା ସମ୍ପାଦକ ଲକ୍ଷ୍ମୀପ୍ରିୟା ଦାସ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ବାଲିଆପାଳ ସିଡିପିଓ, ସିଂଲା ଥାନା ଅଧିକାରୀ, ଉପଜିଲ୍ଲାପାଳ, ଏସପି, ଜିଲ୍ଲାପାଳଙ୍କୁ ଜଣାଇଥିଲେ । କର୍ମୀଙ୍କ ଅଭିଯୋଗକ୍ରମେ ସିଂଲା ଥାନାରେ କେସ୍ ନମ୍ବର ୧୬୩/୨୪ରେ ମାମଲା ରୁଜୁ ହୋଇଥିଲା।