LatestNewsPolitics

ବିଜେପିରେ ନେତାଙ୍କ ପୁଅ ନେତା ହୁଏ ନାହିଁ : ଜେପି ନଡ୍ଡା

ଭୁବନେଶ୍ୱର (ସଂକେତ ଟିଭି): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଗୁରୁବାର ଭୁବନେଶ୍ୱରରେ ପହଞ୍ଚି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଦଳର ମନ୍ତ୍ରୀ, ସାଂସଦ ବିଧାୟକ ଓ ସାଙ୍ଗଠନିକ କାର୍ଯ୍ୟକର୍ତ୍ତାଙ୍କୁ ନଡ୍ଡା ସମ୍ବୋଧିତ କରିଛନ୍ତି । ମୋଦି ସରକାରର ବିକାଶ ଓ ସଂସ୍କାରମୂଳକ ପଦକ୍ଷେପର କଥା ବଖାଣିବା ସହ ବିରୋଧୀ କଂଗ୍ରେସ ଉପରେ ବର୍ଷିଛନ୍ତି ।

ଜେପି ନଡ୍ଡା ସମ୍ବୋଧନ କରି କହିଛନ୍ତି, ବିଜେପିରେ ଅତ୍ୟନ୍ତ ସ୍ବଚ୍ଛ ଭାବେ ସଦସ୍ୟତା ଗ୍ରହଣ ହୁଏ। ସଦସ୍ୟତା ସରିବା ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ। ଆମର ଏଠି ନେତା ପୁଅ ନେତା ହୁଏନି। ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଅନ୍ତି। ସେ କହିଛନ୍ତି ‘ସଦସ୍ୟତା ଆମର କହିବାରେ ନୁହେଁ ଅନ୍ ରେକର୍ଡ ଅଛି। ଏହି ସଦସ୍ୟତା ପରେ ଆକ୍ଟିଭ ସଦସ୍ୟ ଚୟନ ହେବେ। ଏହାପରେ ମଣ୍ଡଳ ନିର୍ବାଚନ, ଜିଲ୍ଲା ଓ ରାଜ୍ୟ ଏହାପରେ ନିର୍ବାଚନ ହୋଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ବଛାଯିବ।ଏଣୁ ଆମର ନେତାର ପୁଅ ନେତା ନୁହେଁ ତୃଣମୂଳରୁ ଆସିଥିବା ଲୋକ ନେତା ହୋଇଥାଏ। ଏପରି କୌଣସି ଦଳ ଅଛି ଯାହାର ଗଣତନ୍ତ୍ର ଅଛି ବୋଲି ପ୍ରଶ୍ନ କଲେ ନଡ଼ା । ବାମ ଦଳ କେଉଁଠୁ ଆସିଥିଲେ ଆଉ କେଉଁଠି ପହଁଚିଲେ । କେରଳରେ ଲଢେଇ ଓ ଦିଲ୍ଲୀରେ ଦୋସ୍ତି କରୁଛନ୍ତି । ପଶ୍ଚିମବଙ୍ଗରେ ଲଢେଇ ଓ ଦିଲ୍ଲୀରେ ଏକାଠି ହେଉଛନ୍ତି ।

ନାଁ ନ ନେଇ ରାହୁଲ ଓ ପ୍ରିୟଙ୍କାଙ୍କୁ ସମାଲୋଚନା କରିଛନ୍ତି ନଡ୍ଡା ।ଭଉଣୀ- ଭାଇଙ୍କୁ ଭାରତର ଆଉ କିଛି ବିକାଶ ଦିଶୁ ନାହିଁ। ସବୁ ବେଳେ କେବଳ ଦୁଇଟି କଥା ଦେଖାଯାଉଛି। ତାହା ହେଲା ବେକାରୀ ଓ ଦରଦାମ ବୃଦ୍ଧି । ସେମାନଙ୍କ ଅଭିଧାନରେ ଯେମିତି ଆଉ କିଛି ନାହିଁ । ଏଥିସହ କଂଗ୍ରେସ୍ ନକ୍ସଲଙ୍କ ମୁଖପାତ୍ର ହୋଇଯାଇଛି ଓ ଶ୍ରୀନଗରରେ ଧାରା ୩୭୦ଆଣିବାକୁ ସେମାନଙ୍କ ସହ ହାତ ମିଶାଇଛନ୍ତି ବୋଲି କଟାକ୍ଷ କରିଛନ୍ତି ନଡ୍ଡା। ସେ ଆହୁରି କହିଛନ୍ତି, ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୩୭୦ ଧାରା ଉଚ୍ଛେଦ ହେଲା। ପ୍ରଧାନମନ୍ତ୍ରୀ ମୋଦି ଏହା ବିରୋଧରେ ଲଢି ଏହାକୁ ଉଚ୍ଛେଦ କଲେ। ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଗଲା। ଏବେ ସେଠାରେ ବିଧାନସଭା ନିର୍ବାଚନ ହେଉଛି।

ଏହି ଅବସରରେ ତିନ ତଲାକ ଉପରେ କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତପ୍ରକାଶ ନଡ୍ଡା । ସେ କହିଛନ୍ତି, ‘ସୁପ୍ରିମକୋର୍ଟ କହିଥିଲେ ତିନ ତଲାକ ସମାପ୍ତ କର । ଏଠାରେ ବସିଥିବା ସମସ୍ତ ଲୋକଙ୍କୁ ମୁଁ କହିବାକୁ ଚାହେଁ ବାଂଲାଦେଶରେ ତିନ ତଲାକ ନାହିଁ । ପାକିସ୍ତାନ, ଆଫଗାନିସ୍ତାନ, ଇରାନ, ସିରିୟା, ଇଣ୍ଡୋନେସିଆ ତିନ ତଲାକ ନାହିଁ । ଏମାନେ ଇସାଲାମିକ ରାଷ୍ଟ୍ର ହୋଇ ଏମାନଙ୍କର ତିନ ତଲାକ ନାହିଁ । କିନ୍ତୁ ଭାରତରେ ଏହା ଚାଲିଥିଲା । ଏବଂ ମୁସଲିମ ଭଉଣୀ ମାନଙ୍କୁ ମୁଖ୍ୟ ଧାରାରୁ ବଞ୍ଚିତ କରାଯାଉଥିଲା । ସେମାନଙ୍କୁ ଅଧିକାର ଦେବା କାମ ପ୍ରଧାନମନ୍ତ୍ରୀ ମୋଦି କଲେ । ଏହା ଥିଲା ଆମର ଆଇଡୋଲୋଜି ।

ସେ କହିଛନ୍ତି ୨୦୪୭ରେ ଭାରତକୁ ବିକଶିତ କରିବା । ଏଥିପାଇଁ ସମସ୍ତଙ୍କ ଯୋଗଦାନ ଜରୁରୀ ।  ଆମେରିକା, ୟୁରୋପ , ଅଷ୍ଟ୍ରେଲିଆର ଅର୍ଥନୀତି ଅସ୍ଥିର ରହିଛି। କିନ୍ତୁ ଭାରତର ଅର୍ଥନୀତି କ୍ରମଶଃ ଅଗ୍ରଗତି କରୁଛି । ମୋଦିଙ୍କ ନେତୃତ୍ଵରେ ଆମେ ଆଜି ବ୍ରିଟେନକୁ ପଛରେ ପକାଇଛୁ । ଭାରତ ଆଜି ବିଶ୍ଵର ପଞ୍ଚମ ଅର୍ଥଶକ୍ତିରେ ପରିଣତ ହୋଇଛି। ମୋଦିଙ୍କ ନେତୃତ୍ଵରେ ଭାରତ ତୃତୀୟ ବୃହତ ଅର୍ଥଶକ୍ତି ହେବାକୁ ଯାଉଛି। ୭୦ ବର୍ଷରୁ ଅଧିକ ୬ କୋଟି ଆୟୁଷ୍ମାନ୍ ଭାରତରେ ସାମିଲ ହେବେ। ଭାରତରେ କେହି କଚ୍ଚା ଘରେ ରହିବେନି, ଆଉ ୩ କୋଟି ଘର ମଞ୍ଜୁର ହୋଇଛି। ତେଣୁ ଏହି ୫ ବର୍ଷ ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ବୋଲି କହିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ସେଥିପାଇଁ ମୋଦି କହିଛନ୍ତି ୟହି ସମୟ ହେ, ସହି ସମୟ ହେ । 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘ଭାରତୀୟ ଜନତା ପାର୍ଟିକୁ ଆହୁରି ସଶକ୍ତିକରଣ ଓ ସଦସ୍ୟ ବଢାଇବେ ପାଇଁ ସଦସ୍ୟତା ଅଭିଯାନ କରାଯାଉଛି । ଗତଥର ରାଜ୍ୟରେ ୪୧ ଲକ୍ଷ ସଦସ୍ୟ ବୃଦ୍ଧି ପାଇଥିଲେ । ପାର୍ଟିର ସଦସ୍ୟ ବଢାଇବା ହେଉଛି ଶକ୍ତି ବଢାଇବା । ପାର୍ଟି କୁ ଶସକ୍ତ କଲେ ସରକାରକୁ ଆସିବା ସହିତ ଜନସାଧାରଣ ଙ୍କ ସେବା କରିବାକୁ ଅଧିକ ସୁଯୋଗ ମିଳିଥାଏ। ସଦସ୍ୟତା ଅଭିଯାନର ୨୫ ଦିନିଆ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ହେଉଛି । ଏହା ଭିତରେ ଗତକାଲି ବିଶାଳ ସଦସ୍ୟତା କାର୍ଯ୍ୟକ୍ରମ ସାରା ଭାରତ ବର୍ଷରେ ହୋଇଛି । ବିଜେପି ଏକ ଭିନ୍ନ ପରିଚିତ ଦଳ ଲୋକଙ୍କ ସେବା କରିବା ପାଇଁ ଦଳ ଆସିଛି ଓ ଲୋକଙ୍କ ସମର୍ଥନ ପାଇ ଦଳ ସରକାରକୁ ଆସିଛି ।’

ଭୁବନେଶ୍ଵରେ ଆୟୋଜିତ ସଦସ୍ୟତା ଅଭିଯାନ ଏବଂ ବୁଦ୍ଧିଜୀବୀ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ସୁନୀଲ ବଂଶଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଏବଂ ବୁଦ୍ଧିଜୀବୀ ସାମିଲ ହୋଇଥିଲେ।